ଜଟିଳ ହେଉଛି କରୋନା ସ୍ଥିତି: ଅଧିକ ୫ ଲକ୍ଷ ଆଇସିୟୁ ବେଡ୍‌, ୩.୫ ଲକ୍ଷ ସ୍ବାସ୍ଥ୍ୟ କର୍ମୀ ଆବଶ୍ୟକ

ପୁନେ : ଦେଶରେ କରୋନା ସ୍ଥିତି ଜଟିଳ ରହିଥିବା ବେଳେ ଆଗକୁ ଏହା ଭୟାନକ ରୂପ ନେବାକୁ ଯାଉଛି। ଆଉ କିଛି ସପ୍ତାହ ମଧ୍ୟରେ ଅଧିକ ୫ ଲକ୍ଷ ଆଇସିୟୁ ବେଡ୍‌, ୨ ଲକ୍ଷ ନର୍ସ‌୍ ଏବଂ ଦେଢ଼ ଲକ୍ଷ ଡାକ୍ତର ଆବଶ୍ୟକ ହେବେ ବୋଲି ଜଣେ ପ୍ରମୁଖ ସର୍ଜନ୍‌ ଡାକ୍ତର ଦେବୀ ପ୍ରସା‌ଦ ‌ସେଟ୍ଟି କହିଛନ୍ତି। ଦେଶରେ ଏବେ କେବଳ ୭୫ ହଜାରରୁ ୯୦ ହଜାର ଆଇସିୟୁ ବେଡ୍‌ ଅଛି ଏବଂ ଦ୍ବିତୀୟ ଲହର ସଂକ୍ରମଣ ପାଇଁ ପ୍ରାୟ ସମସ୍ତ ବେଡ୍‌ ମଧ୍ୟ ଅକ୍ତିଆର ହୋଇ ସାରିଛି। ତେବେ ମହାମାରୀ ଏଯାଏଁ ଶୀର୍ଷରେ ପହଞ୍ଚିନି।

ଦେଶର ଦୈନିକ ସଂକ୍ରମଣ ମାମଲା ସାଢ଼େ ୩ ଲକ୍ଷରୁ ଅଧିକ ରହୁଛି ଏବଂ ଆଗକୁ ଏହି ସଂଖ୍ୟା ୫ ଲକ୍ଷ ପହଞ୍ଚିବ ବୋଲି କିଛି ବିଶେଷଜ୍ଞ ଚେତାବନୀ ଦେଇ ସାରିଲେଣି। ଦେଶରେ ଏବେ ବିଭିନ୍ନ ପ୍ରମୁଖ ରାଜ୍ୟମାନଙ୍କରେ ଅକ୍ସିଜେନ୍‌ ଅଭାବ ଦେଖାଦେଇଛି। ଅକ୍ସିଜେନ୍‌ ଅଭାବରୁ ଅନେକ ରୋଗୀ ମଧ୍ୟ ମରିଯାଉଛନ୍ତି। ନାରାୟଣ ହେଲ୍‌ଥର ଡାକ୍ତର ଦେବୀ ପ୍ରସାଦ କହିଛନ୍ତି, ସଂକ୍ରମଣ ବଢ଼ିବାରୁ ‌ଦେଶରେ ଚିକିତ୍ସା ପାଇଁ ଡାକ୍ତର ଏବଂ ନର୍ସ‌୍‌ଙ୍କର ମଧ୍ୟ ଅଭାବ ଦେଖାଦେଲାଣି। ପରିସଂଖ୍ୟାନ ଅନୁଯାୟୀ ପଜିଟିଭ୍‌ ରୋଗୀଙ୍କ ମଧ୍ୟରୁ ୫ ପ୍ରତିଶତଙ୍କୁ ଆଇସିୟୁ ବେଡ୍‌ ଆବଶ୍ୟକ ହେଉଛି। ତେବେ ହାରାହାରି ଭାବେ ଆଇସିୟୁରେ ଜଣେ ରୋଗୀ ୧୦ ଦିନ ରହୁଛନ୍ତି। ତେଣୁ ଆଗକୁ ଦେଶରେ ଅଧିକ ୫ ଲକ୍ଷ ଆଇସିୟୁ ବେଡ୍‌ ଆବଶ୍ୟକ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର