ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ, ପ୍ରତିନିଧି ସଭାରେ ଗୃହୀତ

ଏବେ ସିନେଟ୍‌ରେ ମୁକାବିଲା

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଆଜି ପ୍ରତିନିଧି ସଭା (ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌)ରେ ଗୃହୀତ ହୋଇଛି। ଏହା ସହିତ ଆମେରିକା ଇତିହାସରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ନାମ ଭୁଲ୍‌ କାରଣ ପାଇଁ ସବୁଦିନ ନିମନ୍ତେ ସାମିଲ ହୋଇଯାଇଛି। ଏ ପର୍ଯ୍ୟନ୍ତ ଆମେରିକା ଇତିହାସରେ ୩ ଜଣ ରାଷ୍ଟ୍ରପତି ମହାଭିଯୋଗ ପ୍ରକ୍ରିୟାର ସମ୍ମୁଖୀନ ହୋଇଛନ୍ତି। ଆମେରିକାର ନିମ୍ନ ସଦନ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ଡେମୋକ୍ରାଟ ଦଳର ସଂଖ୍ୟା ଗରିଷ୍ଠତା ଯୋଗୁଁ ରାଷ୍ଟ୍ରପତିଙ୍କ ବିରୋଧରେ ଏହି ପ୍ରସ୍ତାବ ଗୃହୀତ ହେବା ସମ୍ଭବ ହୋଇଥିଲା। ପ୍ରସ୍ତାବ ସପକ୍ଷରେ ୨୩୦ ଭୋଟ୍‌ ପଡ଼ିଥିବା ବେଳେ ପ୍ରସ୍ତାବ ବିରୋଧରେ ୧୯୭ ଭୋଟ୍‌ ପଡ଼ିଥିଲା। ଏବେ ସିନେଟ୍‌ରେ ମହାଭିଯୋଗ ପ୍ରକ୍ରିୟା ଚାଲିବ ଏବଂ ଏହା ଉପରେ ଭୋଟ୍‌ ଗ୍ରହଣ ହେବ। ସିନେଟ୍‌ରେ ରିପବ୍ଲିକାନ୍‌ ଦଳର ସଂଖ୍ୟାଗରିଷ୍ଠତା ରହିଥିବା ଏବଂ ଦଳରେ କୌଣସି ଫାଟ ନଥିବାରୁ ଏହି ପ୍ରସ୍ତାବ ସିନେଟ୍‌ରେ କାଟ ଖାଇବା ନିଶ୍ଚିତ ବୋଲି କୁହାଯାଉଛି। ଟ୍ରମ୍ପ୍‌ କହିଛନ୍ତି ଯେ କେବଳ ତାଙ୍କୁ ବଦନାମ କରିବା ପାଇଁ ମହାଭିଯୋଗ ପ୍ରସ୍ତାବ ଅଣାଯାଇଛି ଏବଂ ଏଥିରୁ ନିର୍ବାଚନୀ ଫାଇଦା ନେବାକୁ ଡେମୋକ୍ରାଟ୍‌ମାନେ ପ୍ରୟାସ କରିଛନ୍ତି। ଆମେରିକାର ଜନସାଧାରଣ ଏଥିପାଇଁ ଡେମୋକ୍ରାଟ ଦଳକୁ ଉଚିତ ଶାସ୍ତି ଦେବେ ବୋଲି ଟ୍ରମ୍ପ୍‌ କହିଛନ୍ତି। ୧୦୦ ସଦସ୍ୟ ବିଶିଷ୍ଟ ସିନେଟ୍‌ରେ ରିପବ୍ଲିକାନ ପାର୍ଟିର ୫୩ ସଦସ୍ୟ ରହିଛନ୍ତି। ସମସ୍ତ ସଦସ୍ୟ ଟ୍ରମ୍ପ୍‌ଙ୍କ ପଛରେ ଏକ୍‌ଜୁଟ ରହିଥିବାରୁ ମହାଭିଯୋଗ ପ୍ରସ୍ତାବ କାଟ ଖାଇବା ନିଶ୍ଚିତ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର