ନୂଆଦିଲ୍ଲୀ: ଦେଶର ସିଏଜି(ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ତଥା ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଆନ୍ତ-ସଂସଦୀୟ ୟୁନିଅନ(ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ୍),ଜେନେଭାର ବାହ୍ୟ ଅଡିଟର ଭାବରେ ଚୟନ କରାଯାଇଛି | ଆନ୍ତର୍ଜାତୀୟ ଏଜେନ୍ସିରେ ତାଙ୍କର କାର୍ଯ୍ୟକାଳ ତିନି ବର୍ଷ ରହିବ । ମୁର୍ମୁ ହେଉଛନ୍ତି ଦେଶର ୧୪ତମ ସିଏଜି | ସେ ଖୁବ୍ ଶୀଘ୍ର ସ୍ୱିଜରଲ୍ୟାଣ୍ଡର ସୁପ୍ରିମ ଅଡିଟ୍ ପ୍ରତିଷ୍ଠାନରେ ଦାୟିତ୍ୱ ଗ୍ରହଣ କରିବେ। ଉଲ୍ଲେଖନୀୟ ଯେ, ମୁର୍ମୁ ଅଗଷ୍ଟ ମାସରେ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ତାଙ୍କୁ ସିଏଜି କରାଯାଇଥିଲା |
photo-ipu.orgଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ୍ ହେଉଛି ଏକ ଆନ୍ତର୍ଜାତୀୟ ସଂଗଠନ | ମୂଳତଃ ଏହି ସଂଗଠନ ଗଣତାନ୍ତ୍ରିକ ଦେଶର ସଂସଦ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ କାର୍ଯ୍ୟ କରେ | ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗଣତାନ୍ତ୍ରିକ ପ୍ରଶାସନକୁ ପ୍ରୋତ୍ସାହିତ କରିବା ଏବଂ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା | ଏହା ବ୍ୟତୀତ ଏହି ସଂଗଠନ ରାଜନୀତିରେ ଲିଙ୍ଗଗତ ସମାନତା ଏବଂ ରାଜନୀତିରେ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିଥାଏ। ଶ୍ରୀ ମୁର୍ମୁ ଓଡ଼ିଶାର ମୟୂରଭଞ୍ଜ ମାଟିର ସନ୍ତାନ ଏବଂ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦପଦବିରେ ଅବସ୍ଥାପିତ ହୋଇ ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି।
ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍ ଖଡ଼ିଶୋଳ ଗ୍ରାମ ପଞ୍ଚାୟତ କୁଞ୍ଚିଶୋଳ ଗାଁର ସ୍ବର୍ଗତ ଭାଗବତ ମୁର୍ମୁ ଏବଂ ପାର୍ବତୀ ମୁର୍ମୁଙ୍କର ୬ ପୁଅ ଏବଂ ୨ ଝିଅଙ୍କ ମଧ୍ୟରୁ ସବା ବଡ଼ପୁଅ ହେଉଛନ୍ତି ଗିରୀଶ । ୨୧ ନଭେମ୍ବର, ୧୯୫୯ରେ ଜନ୍ମଗ୍ରହଣ କରିଥିବା ଗିରୀଶ ନିଜ ଗାଁରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ପରେ ବାରିପଦା ଏବଂ ରାଉରକେଲାରେ ଅଧ୍ୟୟନ ପରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରି ଜେଏନ୍ୟୁରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ୧୯୮୫ରେ ଗିରୀଶ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୁଜୁରାଟ କ୍ୟାଡର୍ ଆଇଏଏସ୍ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Girish-Chandra-Murmu.jpg)