ଓଡ଼ିଆ ଆୟକର ଅଧିକାରୀଙ୍କ ସମେତ ଆଉ ୧୫ ବରଖାସ୍ତ, ଚାରି ଥରରେ ବିଦା ହେଲେଣି ୬୪

ନୂଆଦିଲ୍ଲୀ : ଦୁର୍ନୀତିଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଜି ୧୫ ଜଣ ବରିଷ୍ଠ ଆୟକର ଅଧିକାରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଏହି ଅଧିକାରୀମାନଙ୍କ ବିରୋଧରେ ଦୁର୍ନୀତି ଏବଂ ଅନ୍ୟାନ୍ୟ ସଂଗିନ ଅଭିଯୋଗ ଥିଲା। ଏହି ତାଲିକାରେ କିଛି ଓଡ଼ିଆ ଅଧିକାରୀଙ୍କ ନାମ ମଧ୍ୟ ରହିଛି। ଏହାକୁ ମିଶାଇ ଚାରିଥରରେ ଆୟୁକ୍ତ, ଅତିରିକ୍ତ ଆୟୁକ୍ତ, ଉପ ଆୟୁକ୍ତ ସ୍ତରର ମୋଟ ୬୪ ଜଣ ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆ ଯାଇଥିବାରୁ ଦୁର୍ନୀତିଗ୍ରସ୍ତ ଅଧିକାରୀ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଆଜି ତଡ଼ା ଖାଇଥିବା ଅଧିକାରୀମା‌ନେ ହେଉଛନ୍ତି ଅତିରିକ୍ତ ଆୟକର ଆୟୁକ୍ତ ଏସ୍‌ ଆର୍‌ ସେନାପତି, ଉପ ଆୟକର ଆୟୁକ୍ତ କୃ‌ପାସାଗର ଦାସ, ପ୍ରମୁଖ ଆୟକର ଆୟୁକ୍ତ ଓ ପି ମିନା, ଆୟକର ଆୟୁକ୍ତ ଶୈଳେନ୍ଦ୍ର ମାମିଦି, ଆୟକର ଆୟୁକ୍ତ ପି କେ ବଜାଜ, ଆୟକର ଯୁଗ୍ମ ଆୟୁକ୍ତ ସଞ୍ଜୀବ ଘେଇ, ସହକାରୀ ଆୟକର ଆୟୁକ୍ତ କେ ଜୟପ୍ରକାଶ, ଅତିରିକ୍ତ ଆୟକର ଆୟୁକ୍ତ ବି ଆପାଲା ରାଜୁ, ସହକାରୀ ଆୟକର ଆୟୁକ୍ତ ରାକେଶ ଶର୍ମା, ଉପ ଆୟକର ଆୟୁକ୍ତ ନୀତିନ ଗର୍ଗ, ଉପ ଆୟକର ଆୟୁକ୍ତ ଏସ୍‌ଏ ଫଜୁଲୁଲ୍ଲା, ସହକାରୀ ଆୟକର ଆୟୁକ୍ତ ପି ଜୋସ କୁଞ୍ଜିପାଲୁ, ଅତିରିକ୍ତ ଆୟକର ଆୟୁକ୍ତ ସିଜେ ଭିନ୍‌ସେଣ୍ଟ୍‌, ଉପ ଆୟକର ଆୟୁକ୍ତ ଟିକେ ଭଟ୍ଟାଚାର୍ଯ୍ୟ ଓ ଯୁଗ୍ମ ଆୟକର ଆୟୁକ୍ତ କମଲେଶ କୁମାର ତ୍ରିପାଠୀ।

ଚଳିତ ବର୍ଷ ଚତୁର୍ଥ ଥର ଲାଗି ଟିକସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହା ପୂର୍ବରୁ ତିନି ଥରରେ ୪୯ ଜଣ ଉଚ୍ଚ ପଦସ୍ଥ ଟିକସ ଅଧିକାରୀଙ୍କୁ ବିଦା ‌କରାଯାଇଥିଲା। ଶେଷ ଥର ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ରେ କାମ କରୁଥିବା ୧୨ ଜଣ ଅଧିକାରୀଙ୍କୁ ବିଦା କରାଯାଇଥିଲା। ଚଳିତ ବର୍ଷ ଜୁନ୍ ୧୦ରୁ ଦୁର୍ନୀତିଖୋରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ଡଜନେରୁ ଅଧିକ କମିସନର ପାହ୍ୟାର ଆୟକର ଅଧିକାରୀଙ୍କୁ ବିଦା କରାଯାଇଥିଲା। ଏହାର ସପ୍ତାହକ ପରେ ପରୋକ୍ଷ ଟିକସ କ୍ଷେତ୍ରରେ କାମ କରୁଥିବା ଆଉ ୧୫ ଜଣ ଅଧିକାରୀଙ୍କୁ ଚାକିରିରୁ ବାହାର କରାଯାଇଥିଲା। ଅଗଷ୍ଟରେ ତୃତୀୟ ଥର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୨ ଜଣ ଅନ୍ୟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା।

ଆଜି ଯେଉଁ ୧୫ ଅଧିକାରୀଙ୍କୁ ବିଦା କରାଯାଇଛି ସେମାନଙ୍କ ବିରୋଧରେ ଦୁର୍ନୀତି ଓ ଲାଞ୍ଚ ମାଗିବା ଅଭିଯୋଗ ରହିଥିଲା। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅଧିକାରୀମାନଙ୍କ ମଧ୍ୟରୁ ପ୍ରମୁଖ କମିସନର ପାହ୍ୟାର ଜଣେ ଅଧିକାରୀ ଜଣେ ଆଇନଜୀବୀଙ୍କୁ ଟିକସ ମାମଲାରେ ସହାୟତା କରିଥିଲେ। ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯେ ସେହି ଆଇନଜୀବୀ ଜଣକଙ୍କ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍‌ରେ ତାଙ୍କର ବ୍ୟକ୍ତିଗତ ମାମଲା ପରିଚାଳନା କରୁଛନ୍ତି। ଅନ୍ୟ ଜଣେ ଟିକସ ଅଧିକାରୀ ଜଣେ ବ୍ୟବସାୟୀଙ୍କୁ ଟିକସ ନୋଟିସ୍ ପଠାଇଥିଲେ। ଜରିମାନା ପରିମାଣ କମ୍ କରିବା ଲାଗି ସେ ବ୍ୟବସାୟୀଙ୍କୁ ଲାଞ୍ଚ ମାଗିଥିଲେ। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବାର୍ତାଳାପକୁ ବ୍ୟବସାୟୀ ଜଣକ ରେକର୍ଡିଂ କରିଦେଇଥିଲେ। ଅନ୍ୟ ଜଣେ ଅଧିକାରୀ ସମାନ ତାରିଖରେ ଦୁଇଟି ଆସେସ୍‌ମେଣ୍ଟ୍‌ ଅର୍ଡର ବାହାର କରି ଜଣଙ୍କ ଜରିମାନା ରାଶିକୁ ଦେଢ଼ କୋଟି ଟଙ୍କାରୁ କମାଇ ୫୯ ଲକ୍ଷ ଟଙ୍କା କରିଦେଇଥିଲେ। ବିଦା କରାଯାଇଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରିବା ଲାଗି ସିବିଆଇ ମଧ୍ୟ ଜାଲ ବିଛାଇଥିଲା। ‌କେବଳ ଦୁର୍ନୀତି ନୁହେଁ; ୩୦ ବର୍ଷ ଚାକିରି କରିସାରିଥିବା, ବୟସ ୫୦ କିମ୍ବା ୫୫ ବର୍ଷ ହୋଇଥିବା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାର ମଧ୍ୟ ସମୀକ୍ଷା କରାଯାଇ କେତେକ କର୍ମଚାରୀଙ୍କୁ ଆଗୁଆ ଅବସର ଦିଆଯାଉଛି।

ସମ୍ବନ୍ଧିତ ଖବର