ମନ୍ତ୍ରୀ ପଦ ମିଳିବା ପରେ ପୂଜାରେ ମାତିଲେ କମ୍ପ୍ୟୁଟର ବାବା

ଆରମ୍ଭ ପୂର୍ବରୁ ବନ୍ଦ ହୋଇଗଲା ‘ନର୍ମଦା ଘୋଟାଲା ରଥଯାତ୍ରା’

ଭୋପାଳ (ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶ ସରକାରରେ ନୂଆ ମନ୍ତ୍ରୀ ପାହ୍ୟା ପାଇଥିବା କମ୍ପ୍ୟୁଟର ବାବାଙ୍କର ଏକ ଫଟୋ ଆଜି ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇପଡ଼ିଛି। ବୁଧବାର ପ୍ରତ୍ୟୁଷରେ ମଧ୍ୟପ୍ରଦେଶର ଏକ ସରକାରୀ ଅତିଥି ଭବନର ଛାତ ଉପରେ ଉଠିଥିବା ଏହି ଫଟୋରେ କମ୍ପ୍ୟୁଟର ବାବା ପୂଜାପାଠରେ ଭୋଳ ଥିବା ଦେଖିବାକୁ ମିଳିଛି।

ଫଟୋରେ ଦେଖିବାକୁ ମିଳିଛି, କମ୍ପ୍ୟୁଟର ବାବା ତାଙ୍କ ମୁଣ୍ଡ ଉପରେ ମାଟିର ଏକ ଝୁଣାପାତ୍ର ଧାରଣ କରିଛନ୍ତି, ଯେଉଁଥିରୁ ଅନବରତ ଝୁଣା ଧୂଆଁ ବାହାରୁଛି, ଚକାଆସନ ପକାଇ ବାବା ହୋମଯଜ୍ଞରେ ବ୍ୟସ୍ତ ଅଛନ୍ତି ଆଉ ଗୋଟିଏ ହାତରେ ମୋବାଇଲ ଫୋନ୍‌କୁ ଧରି ତାକୁ କାନରେ ଲଗାଇ ରଖିିଛନ୍ତି। ଏହି ଫଟୋକୁ ନେଇ ଏବେ ମଧ୍ୟପ୍ରଦେଶରେ ଜୋର ଚର୍ଚ୍ଚା ଚାଲିଛି। କାରଣ, କମ୍ପ୍ୟୁଟର ବାବା ଏବେ କେବଳ ଜଣେ ବାବା ନୁହନ୍ତି ମଧ୍ୟପ୍ରଦେଶ କ୍ୟାବିନେଟରେ ରାଜ୍ୟ ମନ୍ତ୍ରୀ ପାହ୍ୟାର ଜଣେ ମନ୍ତ୍ରୀ ମଧ୍ୟ।

ମନ୍ତ୍ରୀ ପାହ୍ୟାରେ ଅଭିଷିକ୍ତ ହେବା ପୂର୍ବରୁ କମ୍ପ୍ୟୁଟର ବାବା ନର୍ମଦା ଦୁର୍ନୀତି ନେଇ ଘୋର ଚିନ୍ତିତ ହୋଇପଡ଼ିବା ଏବ୍ୟାପାରରେ ହୋହାଲ୍ଲା ମଧ୍ୟ ଆରମ୍ଭ କରି ଦେଇଥିଲେ। ସେଥିପାଇଁ ନର୍ମଦା ଦୁର୍ନୀତିର ପର୍ଦ୍ଦାଫାସ କରିବା ଦାବିରେ ଅପ୍ରେଲ ୧ ତାରିଖରୁ ରାଜ୍ୟରେ ‘ନର୍ମଦା ଘୋଟାଲା ରଥଯାତ୍ରା’ ଆରମ୍ଭ କରିବେ ବୋଲି ଘୋଷଣା କରିଥିଲେ କମ୍ପ୍ୟୁଟର ବାବା। ଏହି ରଥଯାତ୍ରା ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରିବା ସହ ଅପ୍ରେଲ ୧୫ ପର୍ଯ୍ୟନ୍ତ ଚାଲିଥାଆନ୍ତା। କମ୍ପ୍ୟୁଟର ବାବା ସେତେବେଳେ ଅଭିଯୋଗ କରି କହିଥିଲେ ଯେ ନର୍ମଦା ନଦୀ କୂଳରେ ବୃକ୍ଷରୋପଣ କାର୍ଯ୍ୟରେ ବ୍ୟାପକ ଅର୍ଥ ହେରଫେର ହୋଇଛି ଓ ନର୍ମଦା ନଦୀରେ ସକ୍ରିୟ ଥିବା ବାଲି ମାଫିଆମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଛନ୍ତି। ଏହାର ବିରୋଧରେ କମ୍ପ୍ୟୁଟର ବାବା ଆରମ୍ଭ କରିଥାଆନ୍ତେ ‘ନର୍ମଦା ଘୋଟାଲା ରଥଯାତ୍ରା’। ହେଲେ, ଶିବରାଜ ସିଂହ ଚୌହାନ୍‌ଙ୍କ କ୍ୟାବିନେଟ୍‌ରେ ରାଜ୍ୟ ମନ୍ତ୍ରୀ ପାହ୍ୟା ପାଇଯିବା ପରେ କମ୍ପ୍ୟୁଟର ବାବା ତାଙ୍କ ପୂର୍ବ ଘୋଷିତ ନିଷ୍ପତ୍ତିରୁ ଓହରି ଯାଇଛନ୍ତି। ଆଉ କହିଛନ୍ତି ଯେ ନର୍ମଦା ବନୀକରଣ ପାଇଁ ସରକାର ଏକ କମିଟି ଗଠନ କରିଥିବା ପରିପ୍ରେକ୍ଷୀରେ ଆଉ ‘ନର୍ମଦା ଘୋଟାଲା ରଥଯାତ୍ରା’ ବାହାର କରିବାର କୌଣସି ଆବଶ୍ୟକତା ନାହିଁ!

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ଗତ ମାର୍ଚ୍ଚ ୩୧ ତାରିଖରେ ବାବା ନର୍ମଦାନନ୍ଦ, ବାବା ହରିହରାନନ୍ଦ, କମ୍ପ୍ୟୁଟର ବାବା, ଭାୟୁ ମହାରାଜ ଓ ପଣ୍ଡିତ ଯୋଗେନ୍ଦ୍ର ମହନ୍ତଙ୍କୁ ତାଙ୍କ କ୍ୟାବିନେଟ୍‌ରେ ରାଜ୍ୟ ମନ୍ତ୍ରୀ ପାହ୍ୟାରେ ନିଯୁକ୍ତି ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ଏପ୍ରକାରର ନିଷ୍ପତ୍ତିକୁ କେନ୍ଦ୍ରକରି ସେତେବେଳେ ଦେଶ ବ୍ୟାପି ଚର୍ଚ୍ଚା ଓ ଆଲୋଚନା ଜୋର ଧରିଥିଲା।

ସମ୍ବନ୍ଧିତ ଖବର