ଢାକା: ମହିଳା ଟି-୨୦ ବିଶ୍ୱକପ୍ ବାଂଲାଦେଶ ମାଟିରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇସିସି କାର୍ଯ୍ୟସୂଚୀ ଜାରି କରିସାରିଛି। ପ୍ରଥମ ମ୍ୟାଚ୍ ଅକ୍ଟୋବର ୩ତାରିଖରେ ଖେଳାଯିବ। ଅକ୍ଟୋବର ୨୦ତାରିଖରେ ଫାଇନାଲ୍ ଖେଳାଯିବ। କିନ୍ତୁ ଏବେ ଟି-୨୦ ବିଶ୍ୱକପ୍ ପୂର୍ବରୁ ବାଂଲାଦେଶରେ ଚାଲିଥିବା ହିଂସା ଆଇସିସି ସଦସ୍ୟମାନଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ହଟାଇବା ପରେ ଦେଶରେ ରାଜନୈତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ଅକ୍ଟୋବର ୩ରୁ ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଦେଶର ସେନା ମୁଖ୍ୟଙ୍କ ଠାରୁ ସୁରକ୍ଷା ପ୍ରତିଶ୍ରୁତି ମାଗିଛି।
ମହିଳା ଟି-୨୦ ବିଶ୍ୱକପ୍ ବାଂଲାଦେଶର ଦୁଇଟି ସହର ସିଲେଟ ଓ ମୀରପୁରରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟର ଅଭ୍ୟାସ ମ୍ୟାଚ୍ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବ। କ୍ରିକବଜ୍ ଅନୁଯାୟୀ, ବିସିବି ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର ଉଜ୍ ଜମାନଙ୍କୁ ଚିଠି ଲେଖି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସୁରକ୍ଷା ପ୍ରତିଶ୍ରୁତି ମାଗିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମଧ୍ୟ ବାଂଲାଦେଶର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି, ଯେଉଁଠାରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ ଏବଂ ଶେଖ୍ ହସିନା ସରକାରଙ୍କ ବିରୋଧରେ ହିଂସାତ୍ମକ ବିକ୍ଷୋଭରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।
ବାଂଲାଦେଶ କ୍ରିକେଟ ବୋର୍ଡ ଆୟୋଜନ କରିବାକୁ ନେଇ ଆଶାୟୀ ଥିଲେ ବି ଆଇସିସି ବିକଳ୍ପ ଆୟୋଜକ ଭାବେ ଭାରତ, ୟୁଏଇ ଓ ଶ୍ରୀଲଙ୍କାକୁ ରଖିଛି ।