ନୂଆଦିଲ୍ଲୀ : କରୋନା ସଂକ୍ରମଣର ମହାସଙ୍କଟ ଭିତରେ ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ହାହାକାର ସୃଷ୍ଟି କରିଛି। ଅକ୍ସିଜେନ୍କୁ ଅପେକ୍ଷା କରି ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା ଏବଂ ୟୁପିରେ ଅନେକ କୋଭିଡ୍ ରୋଗୀ ଆଖି ବୁଜି ଦେଉଥିବା ବେଳେ ଅକ୍ସିଜେନ୍କୁ ନେଇ ରାଜନୀତି ମଧ୍ୟ କିଛି କମ୍ ହେଉନାହିଁ। ପଂଜାବ, ମହାରାଷ୍ଟ୍ର ସରକାର ଅକ୍ସିଜେନ୍ ଅଭାବ ପାଇଁ କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନୀତିକୁ ଦାୟୀ କରୁଥିବା ବେଳେ ହରିୟାଣା ସରକାର ଦିଲ୍ଲୀର ଆପ୍ ସରକାର ଉପରେ ଦୋଷ ଲଦିଛନ୍ତି। ଆଜି କେନ୍ଦ୍ର ସରକାର ମହାରାଷ୍ଟ୍ରର ଅକ୍ସିଜେନ୍ କୋଟା ବଢ଼ାଇବା ସହ ବିଭିନ୍ନ ରାଜ୍ୟକୁ ୬,୬୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଣ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଦେଶରେ କରୋନାର ଦ୍ବିତୀୟ ଲହରରେ ମେଡିକାଲ ଅକ୍ସିଜେନ୍ର ଚାହିଦା ପ୍ରବଳ ଭାବେ ବଢ଼ି ଯାଇଛି। ଗତକାଲି ଦିଲ୍ଲୀରେ ମାତ୍ର କିଛି ଘଣ୍ଟା ପାଇଁ ଅକ୍ସିଜେନ୍ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ୍ କରିବା ସହ କେନ୍ଦ୍ରର ସହାୟତା ଲୋଡ଼ିଥିଲେ। ଏହାପରେ ଯୁଦ୍ଧସ୍ତରରେ ପ୍ରୟାସ ଯୋଗୁଁ କିଛି ଘଣ୍ଟା ମଧ୍ୟରେ ଅକ୍ସିଜେନ୍ ଯୋଗାଣ ସମ୍ଭବ ହୋଇପାରିଥିଲା। ମହାରାଷ୍ଟ୍ରରେ କରୋନା ସଂପୂର୍ଣ୍ଣ ଅନିୟନ୍ତ୍ରିତ ହୋଇଯାଇଥିବାରୁ କେନ୍ଦ୍ରକୁ ମେଡିକାଲ ଅକ୍ସିଜେନ୍ ଯୋଗାଣ ପାଇଁ ରାଜ୍ୟ ସରକାର ତୁହାକୁ ତୁହା ଦାବି କରୁଛନ୍ତି। ଏହା ବ୍ୟତୀତ ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଛତିଶଗଡ଼ରେ ଅକ୍ସିଜେନ୍ ସଙ୍କଟ ଯୋଗୁଁ ସମସ୍ୟା ଜଟିଳ ହେଉଥିବା ଜଣାପଡ଼ିଛି। ରିଲାଏନ୍ସ, ସେଲ୍, ଟାଟା ଷ୍ଟିଲ୍ ଏବଂ ଆର୍ସଲମିତ୍ତଲ ସମେତ ଅନେକ କମ୍ପାନି ଦେଶରେ ଅକ୍ସିଜେନ୍ ସଙ୍କଟକୁ ଦୂର କରିବା ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ସରକାର ଶିଳ୍ପସଂସ୍ଥାକୁ ଅକ୍ସିଜେନ୍ ଯୋଗାଣ ଉପରେ କଟକଣା ଲଗାଇଛନ୍ତି । ଦେଶରେ ଦୈନିକ ୭୫୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପ୍ରସ୍ତୁତ ହେଉଥିଲେ ମଧ୍ୟ ମାତ୍ରାଧିକ ଚାହିଦା ଯୋଗୁଁ ଏହା ପର୍ଯ୍ୟାପ୍ତ ହେଉନାହିଁ।
ଗତରାତିରୁ ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀର ବିଭିନ୍ନ ଅଂଚଳରେ ଅକ୍ସିଜେନ୍ ପହଞ୍ଚିଛି, କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ରାଜ୍ୟ ସରକାର କେନ୍ଦ୍ରକୁ ଅବଗତ କରାଇଛନ୍ତି। ଅକ୍ସିଜେନ୍ ସଙ୍କଟ ଦୂର କରିବା ପାଇଁ କେନ୍ଦ୍ର ସରକାର ସବୁ ପ୍ରୟାସ କରିବାକୁ ଆଜି ମଧ୍ୟ ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି। ପ୍ରତିଦିନ ଅକ୍ସିଜେନ୍ ଆବଶ୍ୟକ କରୁଥିବା ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଦିଲ୍ଲୀର ଅକ୍ସିଜେନ୍ କୋଟା ତୁରନ୍ତ ବଢ଼ାଇବାକୁ କୁହାଯାଇଛି। ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ପଂଜାବରେ ଅନେକ ଲୋକ ସେମାନଙ୍କ ପରିବାରର ପୀଡ଼ିତଙ୍କ ଜୀବନ ରକ୍ଷା କରିବାକୁ ଅକ୍ସିଜେନ୍ ସିଲିଣ୍ଡର ଲୁଟ୍ କରୁଥିବା ଖବର ସାମ୍ନାକୁ ଆସିଛି। ଲୁଟ୍ ଯୋଗୁଁ ବିଭିନ୍ନ ସ୍ଥାନରେ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି। ମଧ୍ୟପ୍ରଦେଶରେ ଅକ୍ସିଜେନ୍ ସଙ୍କଟକୁ ନେଇ ସାଂଘାତିକ ସ୍ଥିତି ଉପୁଜିଛି। ରାଜଧାନୀ ଭୋପାଳ ସମେତ ବିଭିନ୍ନ ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ଯୋଗୁଁ ରୋଗୀମାନେ ମରଣ ସହ ଯୁଝୁଛନ୍ତି। ଦାମୋହ ଜିଲ୍ଲା ହସ୍ପିଟାଲରୁ ବ୍ୟାପକ ଅକ୍ସିଜେନ୍ ସିଲିଣ୍ଡର ଲୋକେ ଲୁଟି ନେଇଥିବା ଜଣାପଡ଼ିଛି।
ଉତ୍ତରପ୍ରଦେଶର ସବୁ ଜିଲ୍ଲାରେ ଅକ୍ସିଜେନ୍ ଅଭାବ ଯୋଗୁଁ ସମସ୍ୟା ବଢ଼ିଛି। ଅମୃତସର ଏବଂ ଜଳନ୍ଧରରେ ମଧ୍ୟ ଅକ୍ସିଜେନ୍ ଅଭାବ ଯୋଗୁଁ ଜଟିଳ ସ୍ଥିତି ଉପୁଜିଛି। ହରିୟାଣାର ଏକ ଅକ୍ସିଜେନ୍ ଟ୍ୟାଙ୍କର୍କୁ ଦିଲ୍ଲୀ ସରକାର ଲୁଟି ନେଇଛନ୍ତି ବୋଲି ଆଜି ହରିୟାଣା ସରକାର ଅଭିଯୋଗ କରିଛନ୍ତି। ଫରିଦାବାଦ ଯାଉଥିବା ଅକ୍ସିଜେନ୍ ଟ୍ୟାଙ୍କର୍କୁ ଦିଲ୍ଲୀ ସରକାର ଯୋଜନାବଦ୍ଧ ଭାବେ ଲୁଟିଛନ୍ତି ବୋଲି ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅଭିଯୋଗ ଅନିଲ୍ ବିଜ୍ ଅଭିଯୋଗ କରିଥିବା ବେଳେ ଦିଲ୍ଲୀ ସରକାର ଏହାକୁ ଖଣ୍ଡନ କରିବା ସହ ଅକ୍ସିଜେନ୍କୁ ନେଇ ଏବେ ରାଜନୀତି କରିବା ସମୟ ନୁହେଁ ବୋଲି କହିଛନ୍ତି।