ନୂଆଦିଲ୍ଲୀ : ଚଳିତ ବର୍ଷ ଗହମ ସଂଗ୍ରହ ଆଶାନୁରୂପ ନରହିବା କାରଣରୁ କେନ୍ଦ୍ର ସରକାରଙ୍କ ଭଣ୍ଡାରରେ ରହୁଥିବା ଶସ୍ୟ ପରିମାଣ ପାଞ୍ଚ ବର୍ଷର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ଧାନ ଚାଷ ହେଉଥିବା ଜମି ପରିମାଣ ୧୨ ପ୍ରତିଶତ ହ୍ରାସ ପାଇଥିବାରୁ ଚାଉଳ ଉତ୍ପାଦନ ମଧ୍ୟ କମ୍ ହେବାର ଆଶଙ୍କା ରହିଛି। ଅଗଷ୍ଟ ୧ ସୁଦ୍ଧା ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ଭଣ୍ଡାରରେ ୫୪୫.୯୭ ଲକ୍ଷ ଟନ୍ ଚାଉଳ ଓ ଗହମ ରହିଛି। ଶେଷ ଥର ଲାଗି ୨୦୧୭ରେ ଶସ୍ୟ ପରିମାଣ ଏଭଳି ନିମ୍ନ ସ୍ତରକୁ ଖସିଥିଲା। ସେହି ସମୟରେ ଭଣ୍ଡାରରେ ୪୯୯.୭୭ ଲକ୍ଷ ଟନ୍ ଶସ୍ୟ ଥିଲା। ସେହିପରି ୨୦୨୦ରେ ୨୭୯.୫୨ ଲକ୍ଷ ଟନ୍ର ଚାଉଳ ଓ ୨୫୩.୪୦ ଲକ୍ଷ ଟନ୍ର ଗହମ ଥିଲା। ବର୍ତ୍ତମାନ ଏଫ୍ସିଆଇ ଗୋଦାମରେ ଥିବା ଚାଉଳ ପୂର୍ବବର୍ଷ ତୁଳନାରେ ୧୧.୫ ଲକ୍ଷ ଟନ୍ କମ୍ ରହିଛି ଓ ୨୬୬.୪୫ ଲକ୍ଷ ଟନ୍ର ଗହମ ରହିଛି। ଶେଷ ଥର ପାଇଁ ୨୦୦୮ରେ ଏତେ କମ୍ ପରିମାଣର ଗହମ ଭଣ୍ଡାରରେ ଥିଲା।
ଚଳିତ ବର୍ଷ ସଂଗ୍ରହ ହ୍ରାସ ପାଇବା କାରଣରୁ ଗହମ ପରିମାଣ କମ୍ ରହିଛି। କେତେକ ରାଜ୍ୟକୁ ସରକାର କେନ୍ଦ୍ରୀୟ ଭଣ୍ଡାରରୁ ଗହମ ବଦଳରେ ଚାଉଳ ଆବଣ୍ଟନ କରିଛନ୍ତି। ଯଦି ଧାନ ଉତ୍ପାଦନ ହ୍ରାସ ପାଇବ ତେବେ ସଂଗ୍ରହ ଲକ୍ଷ୍ୟ ହାସଲ କରିବା ସରକାରଙ୍କ ପାଇଁ କଷ୍ଟକର ହୋଇପଡ଼ିବ ବୋଲି କୁହାଯାଉଛି। କାରଣ ଘରୋଇ ସଂସ୍ଥାଗୁଡ଼ିକ ମଧ୍ୟ ବିପୁଳ ପରିମାଣର ଚାଉଳ କିଣିବାକୁ ପ୍ରସ୍ତୁତ ରହିଛନ୍ତି। ଚଳିତ ବର୍ଷ ଏପ୍ରିଲ୍-ମେ’ରେ ଘରୋଇ ସଂସ୍ଥା ଅଧିକ ମାତ୍ରାରେ କିଣାକିଣି କରିବାରୁ ଗହମ ସଂଗ୍ରହ ଲକ୍ଷ୍ୟ ହାସଲ ହୋଇପାରିନଥିଲା।
ଦେଶର ଶସ୍ୟ ଭଣ୍ଡାର ଉପରେ ଏକ ଆନ୍ତଃ ମନ୍ତ୍ରୀ ଗୋଷ୍ଠୀ ନଜର ରଖିଛି। ରପ୍ତାନି କଟକଣା ଭଳି କଠୋର ନିଷ୍ପତ୍ତି ନେବା ପୂର୍ବରୁ ଏହା ଆଉ କିଛି ସମୟ ଅପେକ୍ଷା କରିବାକୁ ଚାହୁଛି। ଚାଉଳ ମୂଲ୍ୟ ଉପରେ ମଧ୍ୟ ମନ୍ତ୍ରୀ ଗୋଷ୍ଠୀ କଡ଼ା ନଜର ରଖିଛି। ଗତବର୍ଷ ୩୫୩.୬୨ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ଚଳିତ ବର୍ଷ ତାହା ୧୨.୪ ପ୍ରତିଶତ ହ୍ରାସ ପାଇ ୩୦୯.୭୯ ଲକ୍ଷ ହେକ୍ଟରରେ ପହଞ୍ଚିଛି। ପଶ୍ଚିମବଙ୍ଗରେ ଅଧାରୁ ଅଧିକ ଜମିରେ ଧାନ ଚାଷ ହୋଇଥିବା ବେଳେ ବର୍ଷା ଅଭାବ ଯୋଗୁଁ ଝାଡ଼ଖଣ୍ଡର ଏକ ପଞ୍ଚମାଂଶ ଜମିରେ ଧାନ ଚାଷ ହୋଇଛି। ଗତବର୍ଷ ତୁଳନାରେ ବିହାର ଓ ଉତ୍ତରପ୍ରଦେଶରେ ମଧ୍ୟ ଧାନ ଚାଷ କରାଯାଉଥିବା ଜମି ପରିମାଣ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।