ପ୍ରତିରକ୍ଷା ବିଶେଷଜ୍ଞ ଚକିତ: କେମିତି ଦୁର୍ଘଟଣାଗ୍ରସ୍ତ ହେଲା ଏମ୍‌ଆଇ-୧୭ଭି୫

ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ଭିଭିଆଇପି ଯାତ୍ରା କରନ୍ତି

ନୂଆଦିଲ୍ଲୀ: ବାୟୁ‌ସେନାର ଏମ୍‌ଆଇ-୧୭ଭି୫ ହେଲିକପ୍ଟର ଦୁର୍ଘଟଣାରେ ଆଜି ସିଡିଏସ୍‌ ଜେନେରାଲ ବିପିନ ରାୱତ , ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ଅଧିକାରୀଙ୍କର ମୃତ୍ୟୁ ସୁରକ୍ଷା ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି। ଏମ୍‌ଆଇ-୧୭ଭି୫ ହେଲିକପ୍ଟର ରୁଷ୍‌ ନିର୍ମିତ ଏବଂ ଏହା କାଜାନ ହେଲିକପ୍ଟର୍ସ କମ୍ପାନି ଦ୍ବାରା ପ୍ରସ୍ତୁତ ହେଉଛି। ୨୦୧୨ ଫେବ୍ରୁଆରି ୧୭ରେ ଏହି ହେଲିକପ୍ଟର ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା।

କମ୍ପାନି ଅନୁଯାୟୀ, ଏହି ହେଲିକପ୍ଟର ଘଣ୍ଟାକୁ ସର୍ବାଧିକ ୨୫୦ କିମି ବେଗରେ ଗତି କରିପାରିବ। ଏମ୍‌ଆଇ-୮/୧୭ ସିରିଜ୍‌ର ଡବଲ ଇଂଜିନ୍‌ ବିଶିଷ୍ଟ ଏହି ହେଲିକପ୍ଟର ବୈଷୟିକ ଦୃଷ୍ଟିରୁ ଅତ୍ୟନ୍ତ ଉନ୍ନତ। ଉକ୍ତ ହେଲିକପ୍ଟର ସର୍ବାଧିକ ‌ଟେକ୍‌ଅଫ୍‌ ଓଜନ ୧୩,୦୦୦ କିଲୋ । ଏହା ୩୬ ସଶସ୍ତ୍ର ସୈନିକଙ୍କୁ ହେଲିକପ୍ଟରରେ ବହନ କରିପାରିବ କିମ୍ବା ସ୍ଲିଙ୍ଗ୍‌ରେ ୪,୫୦୦ କିଲୋଗ୍ରାମ ଓଜନ୍‌ର ଜିନିଷ ବହନ କରିପାରିବ।

ପ୍ରତିଟି ଏମ୍‌ଆଇ-୧୭ଭି୫ରେ ଏକ କମ୍ପ୍ଲେକ୍ସ ନାଭିଗେସନ୍‌ ଏବଂ ଏକ ଇଲେକ୍ଟ୍ରୋନିକ ଡିସପ୍ଲେ କେଏନ୍‌ଇଆଇ-୮ ରହିଛି। କ୍ୟାବିନ୍‌ ଏବଂ ବାହ୍ୟ ସ୍ଲିଙ୍ଗ୍‌ରେ କାର୍ଗୋ ପରିବହନ ପାଇଁ ଏହା ଡିଜାଇନ୍‌ ହୋଇଛି। ଏମ୍‌ଆଇ-୧୭ଭି-୫ ବିଶ୍ବର ସବୁଠାରୁ ଉତ୍କୃଷ୍ଟ ପରିବହନ ହେଲିକପ୍ଟର। ସୈନ୍ୟ ଏବଂ ଅସ୍ତ୍ର ପରିବହନ ପାଇଁ ବି ଏହା ମୁତୟନ ହୋଇପାରିବ। ରୋଷ୍ଟେକ୍‌ ଷ୍ଟେଟ୍‌ କର୍ପୋରେସନ୍‌ର ଏକ କମ୍ପାନି ରୋସବୋରୋନେକ୍ସପୋର୍ଟ ଭାରତକୁ ୮୦ ଏମ୍‌ଆଇ-୧୭ ଭି-୫ ହେଲିକପ୍ଟର ଦେବାପାଇଁ ୨୦୦୮ରେ ଏକ ଚୁକ୍ତି ସ୍ବାକ୍ଷର କରିଥିଲା ଏବଂ ଏହି ପ୍ରକ୍ରିୟା ୨୦୧୧-୧୩ରେ ‌ଶେଷ ହୋଇଥିଲା।

ତେବେ ଭାରତୀୟ ବା‌ୟୁ‌ସେନା, ଗୃହମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ର ଆବଶ୍ୟକତା ପାଇଁ ମୋଟ୍‌ ୭୧ ଏମ୍‌ଆଇ୧୭ଭି-୫ ଯୋଗାଇ ପାଇଁ ୨୦୧୨-୧୩ରେ ଅନ୍ୟ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ୨୦୧୮ ଜୁଲାଇରେ ଏହି ସାମରିକ ପରିବହନ ହେଲିକପ୍ଟରର ଶେଷ ବ୍ୟାଚ୍‌ ଭାରତରେ ପହଞ୍ଚିଥିଲା। ଏହି ଶକ୍ତିଶାଳୀ ହେଲିକପ୍‌ଟର ଆଜି ଯେଭଳି ଦୁର୍ଘଟଣାର ଶିକାର ହେଲା ତାହା ସୁରକ୍ଷା ବିଶେଷଜ୍ଞଙ୍କୁ ମଧ୍ୟ ବିସ୍ମିତ କରିଛି।

ସମ୍ବନ୍ଧିତ ଖବର