ଗାଜା: ସୋମବାର ଇସ୍ରାଏଲ ଗାଜା ଯୁଦ୍ଧର ପ୍ରଥମ ବାର୍ଷିକୀ ପାଳନ କରିଛି। ଗତ ବର୍ଷ ଅକ୍ଟୋବର ୭ରେ ହମାସ୍‌ ଆକ୍ରମଣରେ ଇସ୍ରାଏଲରେ ୧୨୦୦ ଲୋକ ପ୍ରାଣ ହରାଇଥିଲେ ଏବଂ ଆତଙ୍କବାଦୀ ସଂଗଠନ ପ୍ରାୟ ୨୫୦ ଜଣଙ୍କୁ ବନ୍ଧକ ରଖିଥିଲା। ଏବେ ବି ୧୦୦ରୁ ଅଧିକ ଲୋକ ହମାସ୍‌ ପାଖରେ ବନ୍ଦୀ ଅଛନ୍ତି। ପରବର୍ତ୍ତୀ ସମୟରେ ଗାଜା ଉପରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନରେ ୪୨,୦୦୦ରୁ ଅଧିକ ପାଲେଷ୍ଟିନିୟ ପ୍ରାଣ ହରାଇଥିବା ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ସୋମବାର ହମାସ୍‌ର ସଶସ୍ତ୍ର ଶାଖା ଦାବି କରିଛି ଯେ ସେମାନେ ଦକ୍ଷିଣ ଇସ୍ରାଏଲ ଓ ତେଲ୍‌ ଅବିବ୍‌କୁ ଟାର୍ଗେଟ କରି ଏକାଧିକ ରକେଟ୍ ମାଡ଼ କରିଛନ୍ତି।

Advertisment

ହମାସ୍‌ର ସଶସ୍ତ୍ର ଶାଖା ଏଜେଦିନ୍ ଅଲ୍-କାସାମ୍ କହିଛି ଯେ, ଏହା ଅଧିକୃତ ଅଞ୍ଚଳ ସହ ତେଲ୍‌ ଅବିବ୍‌ ସହର ଉପରେ ଏମ୍‌-୯୦ କ୍ଷେପଣାସ୍ତ୍ର ମାଡ଼ କରିଛି। ହମାସ୍‌ର ସହଯୋଗୀ ହେଜବୁଲ୍ଲା ଇସ୍ରାଏଲର ଆକ୍ରମଣ ବିରୋଧରେ ଲଢ଼େଇ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛି। ଗାଜାରେ ଆଜି ଇସ୍ରାଏଲର ଆକ୍ରମଣରେ ଅତିକମ୍‌ରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ଯୁଦ୍ଧକୁ ବଷେଁ ପୂରଣ ହୋଇଥିଲେ ମଧ୍ୟ ଥମିବାର ନାଁ ନେଉନାହିଁ। ଶାନ୍ତି ଆଣିବା ପାଇଁ ବିଶ୍ୱ ସମର୍ଥନ ଆବଶ୍ୟକ ବୋଲି ସୋମବାର ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ କହିଛନ୍ତି। ସେ କହିଛନ୍ତି, ଏହି ଅଞ୍ଚଳରେ ଶାନ୍ତି ଆଣିବାକୁ ହେଲେ ଇସ୍ରାଏଲକୁ ତା’ର ଶତ୍ରୁଙ୍କ ବିରୋଧରେ ଲଢ଼େଇରେ ବିଶ୍ବକୁ ସମର୍ଥନ କରିବାକୁ ପଡ଼ିବ। ଇସ୍ରାଏଲର ଏକ କ୍ୟାମ୍ପେନ୍ ଗ୍ରୁପ୍ ସୋମବାର ଗାଜାରେ ବନ୍ଦୀ ଥିବା ଜଣେ ବନ୍ଧକଙ୍କ ମୃତ୍ୟୁ ଘୋଷଣା କରିଛି। ବନ୍ଧକ ଓ ନିଖୋଜ ପରିବାର ଫୋରମ୍ ଅନୁଯାୟୀ, ୨୮ ବର୍ଷୀୟ ଇଦାନ୍ ଷ୍ଟିଭିଙ୍କୁ ନୋଭା ପର୍ବ ସ୍ଥଳରୁ ଅପହରଣ କରାଯାଇଥିଲା ଏବଂ ତାଙ୍କ ମୃତଦେହକୁ ଏବେ ବି ହମାସ୍‌ ନିଜ ପାଖରେ ରଖିଛି। ହମାସ୍‌ ଆକ୍ରମଣର ପ୍ରଥମ ବାର୍ଷିକୀ ପାଳନ ଅବସରରେ ହଜାର ହଜାର ଇସ୍ରାଏଲବାସୀ ନୋଭା ମ୍ୟୁଜିକ୍ ଫେଷ୍ଟିଭାଲ ସ୍ଥାନରେ ଏକତ୍ରିତ ହୋଇଥିଲେ। ୨୦୨୩ରେ ହମାସ୍‌ ଏହି ପର୍ବ ଉପରେ ଆକ୍ରମଣ କରିବାରୁ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୪୪ ଜଣଙ୍କୁ ଅପହରଣ କରାଯାଇଥିଲା।

 ଗାଜାରେ ଇସ୍ରାଏଲର ଆକ୍ରମଣ, ୫୨ ମୃତ

ନୋଭା ପାର୍ଟିର ଶେଷ ଟ୍ରାକ୍‌ର ପ୍ଲେବ୍ୟାକ୍ ପରେ ମୃତକଙ୍କ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସେନା କହିଛି ଯେ ବାୟୁସେନା ଗାଜା ଉପତ୍ୟକାରେ ହମାସ୍‌ ଲଞ୍ଚପୋଷ୍ଟ୍‌ ଓ ଭୂତଳ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିଛି। ଏହାବ୍ୟତୀତ ରାତିରେ ବାୟୁସେନା କେନ୍ଦ୍ରୀୟ ଗାଜାରେ ଥିବା ଟାର୍ଗେଟ ଉପରେ ଆକ୍ରମଣ କରିଥିଲା। ଗାଜା ଯୁଦ୍ଧର ପ୍ରଥମ ବାର୍ଷିକୀକୁ ଅନ୍ୟ ଦେଶରେ ମଧ୍ୟ ପାଳନ କରାଯାଇଛି। ଫ୍ରାନ୍ସରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଅକ୍ଟୋବର ୭ରେ ଇସ୍ରାଏଲରେ ହମାସ୍‌ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅଷ୍ଟ୍ରେଲିଆରେ ସଂଘର୍ଷର ପ୍ରଥମ ବାର୍ଷିକୀ ପାଳନ ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ସିଡନୀ ବେଳାଭୂମିରେ ଇସ୍ରାଏଲ ଓ ଅଷ୍ଟ୍ରେଲିଆ ପତାକା ଧରି ଲୋକମାନେ ହମାସ୍‌ ପାଖରେ ଥିବା ବନ୍ଧକ ଥିବା ଇସ୍ରାଏଲର ୧୦୧ ଜଣଙ୍କ ନାମ ପଢ଼ିଥିଲେ।

ଜେରୁଜେଲମ: ଇସ୍ରାଏଲ୍‌ରେ ହମାସ୍‌ ଆକ୍ରମଣର ପ୍ରଥମ ବାର୍ଷିକୀ ଅବସରରେ ହମାସ୍‌ ସମର୍ଥକ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜବୁଲ୍ଲା ଇସ୍ରାଏଲର ତୃତୀୟ ବୃହତ୍ତମ ସହର ହାଇଫା ଉପରେ ଆକ୍ରମଣ କରିଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ହେଜବୁଲ୍ଲା କହିଛି ଯେ ସେମାନେ ହାଇଫାର ଦକ୍ଷିଣରେ ଥିବା ସାମରିକ ଘାଟି ଉପରେ ‘ଫାଦି-୧’ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଇସ୍ରାଏଲର ଭୂମଧ୍ୟସାଗର ଉପକୂଳରେ ଥିବା ହାଇଫାରେ ଦୁଇଟି ରକେଟ୍ ଏବଂ ୬୫ କିଲୋମିଟର ଦୂର ତିବେରିଆସରେ ୫ଟି ରକେଟ୍ ମାଡ଼ ହୋଇଥିଲା। ପୁଲିସ କହିଛି କେତେକ କୋଠା ଓ ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ କିଛି ଲୋକ ସାମାନ୍ୟ ଆହତ ହୋଇଛନ୍ତି ଏବଂ କିଛି ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେଣେ ଇସ୍ରାଏଲର ଯୁଦ୍ଧ ବିମାନ ବେରୁତସ୍ଥିତ ହେଜବୁଲ୍ଲାର ଗୁଇନ୍ଦା ମୁଖ୍ୟାଳୟ ସହ ଗୁଇନ୍ଦା ତଥ୍ୟ ସଂଗ୍ରହ ମାଧ୍ୟମ, କମାଣ୍ଡ ସେଣ୍ଟର ଓ ଅତିରିକ୍ତ ଭିତ୍ତିଭୂମି ଉପରେ ଆକ୍ରମଣ କରିଛି। ବେରୁତ୍‌ ଅଞ୍ଚଳରେ ଥିବା ହେଜବୁଲ୍ଲା ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ଏୟାର୍‌ଷ୍ଟ୍ରାଇକ୍ ହୋଇଥିବା ବେଳେ ଆକ୍ରମଣ ପରେ ସେଠାରେ ଦ୍ବିତୀୟ ବିସ୍ଫୋରଣ ହୋଇଥିଲା। ଦକ୍ଷିଣ ଲେବାନନ୍‌ ଏବଂ ବେକା ଅଞ୍ଚଳରେ ଥିବା ହେଜବୁଲ୍ଲା ଟାର୍ଗେଟ୍ ଉପରେ ମଧ୍ୟ ବିମାନ ଆକ୍ରମଣ ହୋଇଥିବା ବେଳେ ଅସ୍ତ୍ରଶସ୍ତ୍ର ଭଣ୍ଡାର, ଭିତ୍ତିଭୂମି ସ୍ଥଳ, କମାଣ୍ଡ୍ ସେଣ୍ଟର ଓ ଲଞ୍ଚର ଉପରେ ମଧ୍ୟ ଆକ୍ରମଣ ହୋଇଛି। ବେରୁତର କେନ୍ଦ୍ରସ୍ଥଳରେ ଥିବା ଆବାସିକ କୋଠା ତଳେ ଜାଣିଶୁଣି ଏହାର କମାଣ୍ଡ ସେଣ୍ଟର ଓ ଅସ୍ତ୍ରଶସ୍ତ୍ର ଭଣ୍ଡାର ନିର୍ମାଣ କରି ହେଜବୁଲ୍ଲା ସାଧାରଣ ଜନତାଙ୍କ ଜୀବନକୁ ବିପଦରେ ପକାଉଛି ବୋଲି ଇସ୍ରାଏଲ ସେନା କହିଛି।