ନୂଆଦିଲ୍ଲୀ: ଅନେକ ଭାରତୀୟ ଛାତ୍ରଙ୍କ ପାଇଁ କାନାଡା ଦୀର୍ଘ ଦିନ ଧରି ଉଚ୍ଚଶିକ୍ଷା ଲାଗି ସବୁଠାରୁ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ମଧ୍ୟରୁ ଅନ୍ୟତମ। ଆମେରିକା ଭିସା ନିୟମକୁ କଠୋର କରିବା, ବୃଦ୍ଧି ପାଉଥିବା ଖର୍ଚ୍ଚ ଓ ବଢୁଥିବା ଅନିଶ୍ଚିତତା ସହିତ କାନାଡାର ଖୋଲାପଣ, ନିରାପତ୍ତା, କାର୍ଯ୍ୟ ଅଧିକାର ଓ ଅଧ୍ୟୟନ ପରବର୍ତ୍ତୀ ସୁଯୋଗ ଏହାକୁ ଅଧିକ ଆକର୍ଷଣୀୟ କରିଛି। କିନ୍ତୁ ଚଳିତବର୍ଷ ୧୯,୫୮୨ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ‘ଅଣ-ଅନୁପାଳନକାରୀ’ ବା କ୍ଲାସରେ ଯୋଗ ଦେଉ ନ ଥିବା ‘ନିଖୋଜ’ ଛାତ୍ର ଭାବରେ ଚିହ୍ନଟ କରାଯାଇଛି। ଫଳରେ ଭାରତରେ ଥିବା ସେମାନଙ୍କ ଅଭିଭାବକମାନେ ଚିନ୍ତା ପ୍ରକଟ କରିବା ସ୍ବାଭାବିକ।
୨୦୨୫ ଆପ୍ଲାଇବୋର୍ଡ ସର୍ଭେରୁ ଜଣାପଡିଛି ଯେ, ବିଦେଶରେ ଅଧ୍ୟୟନ ପାଇଁ ୯୪ ପ୍ରତିଶତ ଭାରତୀୟ ତଥାପି କାନାଡାକୁ ସେମାନଙ୍କର ପ୍ରଥମ ପସନ୍ଦ ଭାବରେ ବିବେଚନା କରନ୍ତି। ତେବେ ଏହି ବିଶ୍ୱସ୍ତ ଗନ୍ତବ୍ୟସ୍ଥଳ ବର୍ତ୍ତମାନ ଯାଞ୍ଚ ଅଧୀନରେ ଅଛି। ଇମିଗ୍ରେସନ, ରିଫ୍ୟୁଜିଜ୍ ଆଣ୍ଡ୍ ସିଟିଜେନ୍ସିପ୍ କାନାଡା (ଆଇଆର୍ସିସି) ନିକଟରେ ପ୍ରକାଶ କରିଛି ଯେ ୪୭,୧୭୫ ବିଦେଶୀ ଛାତ୍ର, ସମସ୍ତ ଅନ୍ତର୍ଜାତୀୟ ଛାତ୍ରଙ୍କ ପ୍ରାୟ ୮ ପ୍ରତିଶତ କ୍ଲାସ୍ କରୁନାହାନ୍ତି। ଚଳିତ ବର୍ଷ ଆରମ୍ଭରେ ଆଇଆର୍ସିସି ତଥ୍ୟରୁ ଜଣାପଡିଛି ଯେ, ଛାତ୍ର ଭିସାରେ ପ୍ରବେଶ କରିଥିବା ୪୭,୭୧୫ ବିଦେଶୀ ଛାତ୍ରଙ୍କୁ ୨୦୨୪ ବସନ୍ତରେ ସେମାନଙ୍କ ଅନୁଷ୍ଠାନ ଦ୍ୱାରା ‘ନୋ-ଶୋ’ ଭାବରେ ରିପୋର୍ଟ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୧୯,୫୮୨ ଜଣ ଭାରତୀୟ ଛାତ୍ର ଥିବା ବେଳେ ଚୀନ୍ର ୪,୨୭୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଯଦି ଜଣେ ଅନ୍ତର୍ଜାତୀୟ ଛାତ୍ର କ୍ଲାସରେ ଯୋଗଦେବା ବନ୍ଦ କରନ୍ତି ତେବେ କଲେଜଗୁଡିକ ଆଇଆର୍ସିସିକୁ ଜଣାଇବା ଆବଶ୍ୟକ। ଏପରି ମାମଲାଗୁଡିକ ଅନୁସନ୍ଧାନ ଓ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ କାନାଡା ବର୍ଡର ସର୍ଭିସେସ୍ ଏଜେନ୍ସି (ସିବିଏସ୍ଏ)କୁ ପଠାଯିବା କଥା।
ନିଖୋଜ ଛାତ୍ରମାନେ କେଉଁଠାରେ ଅଛନ୍ତି?
ଆଇଆର୍ସିସି ବ୍ୟାଖ୍ୟା କରିଛି ଯେ ‘ସମ୍ଭାବ୍ୟ ଅଣ-ଅନୁପାଳନ’ (କ୍ଲାସ୍ ନ କରିବା) ଲେବଲ୍ ଭୁଲ୍ କାର୍ଯ୍ୟକୁ ନିଶ୍ଚିତ କରେ ନାହିଁ। ଏହାର ଅର୍ଥ ହେଉଛଇ, ଶିକ୍ଷାନୁଷ୍ଠାନଗୁଡ଼ିକୁ ଛାତ୍ରଙ୍କ ନାମଲେଖା ସ୍ଥିତି ଯାଞ୍ଚ କରିବାକୁ କୁହାଯାଇଥିଲା ଏବଂ କୌଣସି ନିଶ୍ଚିତକରଣ କରାଯାଇ ନ ଥିଲା। ଏହି ଛାତ୍ରମାନେ ହୁଏତ ଅଧାରୁ ପାଠ ଛାଡିଥିବେ, କଲେଜ ବଦଳାଇଥିବେ କିମ୍ବା ସେମାନଙ୍କର ରେକର୍ଡ ଅପଡେଟ୍ କରିବାରେ ବିଫଳ ହୋଇଥିବେ। ୟୁନିଭର୍ସିଟି ଲିଭିଂର ପ୍ରତିଷ୍ଠାତା ତଥା ସିଇଓ ସୌରଭ ଆରୋଡ଼ା କହିଛନ୍ତି, ଅପ୍ରତ୍ୟାଶିତ ଆର୍ଥିକ ଚାପ, ପାର୍ଟ ଟାଇମ୍ କାମ ଖୋଜିବାରେ ଅସୁବିଧା କିମ୍ବା ଅନିୟନ୍ତ୍ରିତ ଏଜେଣ୍ଟଙ୍କ ବିଭ୍ରାନ୍ତିକର ପରାମର୍ଶ ପ୍ରାୟତଃ ସମସ୍ୟା ସୃଷ୍ଟି କରେ। କିଛି ଛାତ୍ର କଲେଜ ବଦଳାନ୍ତି କିମ୍ବା ଠିକ୍ ସମୟରେ ସେମାନଙ୍କର ରେକର୍ଡ ଅପଡେଟ୍ କରିବାରେ ବିଫଳ ହୁଅନ୍ତି। ଫଳରେ ସେହି ଛାତ୍ରମାନଙ୍କ ବିଷୟରେ ଆମ ପାଖରେ ସୂଚନା ଉପଲବ୍ଧ ହୋଇପାରେ ନାହିଁ। ଆରୋଡ଼ା ଉଲ୍ଲେଖ କରିଛନ୍ତି ଯେ, ‘ନିଖୋଜ’ ଛାତ୍ରଛାତ୍ରୀଙ୍କ ଖବର ସ୍ୱାଭାବିକ ଭାବେ ପରିବାରଗୁଡ଼ିକ ମଧ୍ୟରେ ଚିନ୍ତା ସୃଷ୍ଟି କରିଥାଏ। ଅଭିଭାବକମାନେ ଆଶ୍ୱାସନା ଚାହୁଛନ୍ତି ଯେ, ସେମାନଙ୍କ ପିଲାମାନେ ଯାଞ୍ଚ ହୋଇଥିବା ଅନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି ଏବଂ ଯଦି କିଛି ଭୁଲ୍ ହୁଏ ତେବେ ସେମାନଙ୍କୁ ସମର୍ଥନ କରାଯିବ। ବର୍ତ୍ତମାନ କାନାଡ଼ା ସରକାର ସ୍ୱଚ୍ଛତା ଓ ଉତ୍ତମ ଯୋଗାଯୋଗ ମାଧ୍ୟମରେ କେତେ ପ୍ରଭାବଶାଳୀ ଭାବରେ ବିଶ୍ୱାସକୁ ପୁନଃସ୍ଥାପିତ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।