କତାର୍‌ରେ ନୌସେନାର ୮ଜଣ ପୂର୍ବତନ ଅଧିକାରୀ ଅଟକ; ଗୁପ୍ତଚରଗିରି ଅଭିଯୋଗ ଯୋଗୁଁ ବଢୁଛି ଚିନ୍ତା

ନୂଆଦିଲ୍ଲୀ: କତାର୍‌ରେ ଅଟକ ଥିବା ଭାରତୀୟ ନୌସେନାର ୮ଜଣ ପୂର୍ବତନ ଅଧିକାରୀଙ୍କ ବିରୋଧରେ ଗୁପ୍ତଚରଗିରି ଅଭିଯୋଗ ହୋଇଥିବା କଥା ଅସମର୍ଥିତସୂତ୍ରକୁ ଆଧାର କରି ରିପୋର୍ଟ ପ୍ରକାଶ ପାଇବା ପରେ ସେମାନଙ୍କ ପରିବାର ଲୋକେ ଚିନ୍ତାରେ ପଡ଼ିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ଗତ ଅଳ୍ପ କେତେ ଦିନ ହେବ ପାକିସ୍ତାନୀ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ପୋଷ୍ଟ୍‌ ଏବଂ ପାକିସ୍ତାନୀ ଫୋରମ୍‌ରେ ଉଲ୍ଲେଖ କରାଯାଉଛି ଯେ, ଉପରୋକ୍ତ ୮ଜଣଙ୍କ ବିରୋଧରେ ଗୁପ୍ତଚରଗିରି ଅଭିଯୋଗ ହୋଇଛି। କିନ୍ତୁ, ଏ ସଂକ୍ରାନ୍ତରେ ଅବଗତ ଥିବା ସରକାରୀ କର୍ତ୍ତୃପକ୍ଷ ଗୁପ୍ତଚରଗିରି ଅଭିଯୋଗକୁ ମିଥ୍ୟା ଦାବି ବୋଲି କହୁଛନ୍ତି।

ସେମାନେ କହିଛନ୍ତି, ପରିସ୍ଥିତିର ସୁଯୋଗ ନେବା ପାଇଁ ଉଦ୍ୟମ କରାଯାଉଛି। କେତେକ ସାମାଜିଗ ଗଣମାଧ୍ୟମ ବ୍ୟବହାରକାରୀ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ପାକିସ୍ତାନ ତରଫରୁ ପାଇଥିବା ସୂଚନା ଆଧାରରେ ଉପରୋକ୍ତ ଭାରତୀୟମାନଙ୍କୁ ଅଟକ ରଖାଯାଇଛି। ତେଣୁ, ଏହା ବିଭ୍ରାନ୍ତକାରୀ ସୂଚନା ବୋଲି ଜଣାପଡୁଛି।

Image Courtesy of Asianet Newsable

ସଂଗୃହୀତ ସୂଚନା ଅନୁସାରେ, ୭୦ରୁ ଅଧିକ ଦିନ ଧରି ଅଟକ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଗୁପ୍ତଚରଗିରି ଅଭିଯୋଗ ହୋଇଥିବା କଥା କତାରର ସରକାରୀ କର୍ତ୍ତୃପକ୍ଷମାନେ ଔପଚାରିକ ଭାବେ ଭାରତକୁ ସୂଚନା ଦେଇ ନାହାନ୍ତି।

ଅଟକ ଥିବା ବ୍ୟକ୍ତିମାନଙ୍କୁ ଭେଟିବା ନିମନ୍ତେ ଭାରତୀୟ ଅଧିକାରୀମାନଙ୍କୁ ଥରେ ଅକ୍ଟୋବର ପ୍ରାରମ୍ଭରେ ଏବଂ ଆଉ ଥରେ ଚଳିତ ମାସରେ ‘କନ୍‌ସୁଲାର୍‌ ଆକ୍ସେସ୍‌’ ମଞ୍ଜୁର କରାଯାଇଥିଲା। କ୍ୟାପ୍ଟନେ୍‌ ଅଥବା କମାଣ୍ଡର୍‌ ପଦବୀରୁ ଅବସର ନେଇଥିବା ନୌସେନା ଅଧିକାରୀଙ୍କ ସମେତ ଅଟକ ଥିବା ବ୍ୟକ୍ତିମାନେ ନିଜ ନିଜର ପରିବାର ଲୋକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ସୁଯୋଗ ପାଇଥିଲେ।

ସମ୍ବନ୍ଧିତ ଖବର