ଚିନ୍ତା ବଢ଼ାଇଲା କାଶ୍ମୀର ହିଂସା, ଥମୁନି ଟା‌ର୍ଗେଟ୍‌ କିଲିଂ

ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ହତ୍ୟା, ବାହାର ଶ୍ରମିକଙ୍କୁ ବି ମାରିଲେ

ଶ୍ରୀନଗର : କାଶ୍ମୀରରେ ପୁଣି ଟାର୍ଗେଟ୍‌ କିଲିଂ। କୁଲଗାମ ଜିଲ୍ଲାରେ ଜଣେ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ଗୁରୁବାର ଦିନ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ। ଚଳିତ ମାସର ଏହା ଅଷ୍ଟମ ଟାର୍ଗେଟ୍‌ କିଲିଂ ହୋଇଥିବା ବେଳେ କାଶ୍ମୀରରେ ପୁଣି ଥରେ ଆତଙ୍କର ବାତାବରଣ ଫେରିଛି। ଗୁରୁବାର ରାତିରେ ବାହାର ରାଜ୍ୟର ଜଣେ ଶ୍ରମିକଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଏଭଳି ଆତଙ୍କବାଦକୁ ଦୃଢ଼ ହସ୍ତରେ ଦମନ କରିବା ଲାଗି କେନ୍ଦ୍ର ସରକାର ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି। ଗୁରୁବାର ଦିନ ଏସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହା ଉପରେ ଆଲୋଚନା ହୋଇଛି। ଆଜି ଆଉ ଏକ ବୈଠକ ହେବ ବୋଲି ଜଣାପଡ଼ିଛି।

ଗୁରୁବାର ଦିନ ଟାର୍ଗେଟ୍‌ କିଲିଂର ଶିକାର ହୋଇଥିବା ବ୍ୟାଙ୍କ ମ୍ୟାନେଜରଙ୍କ ନାମ ବିଜୟ କୁମାର। ସେ ରାଜସ୍ଥାନର ବାସିନ୍ଦା। ତିନି ମାସ ପୂର୍ବେ ବିବାହ କରିଥିବା ବିଜୟ କିଛିଦିନ ତଳେ ଏହି ବ୍ୟାଙ୍କ୍‌ରେ ମ୍ୟାନେଜର ଭାବେ ଯୋଗ ଦେଇଥିଲେ।ଆଜି ସକାଳେ ସୋପିଆନ୍‌ରେ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣରେ ୩ ଜଣ ଯବାନ ଆହତ ହୋଇଥିଲେ। ଏହି ସ୍ଥାନଠାରୁ ମାତ୍ର ୧୩ କିମି ଦୂରରେ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ହତ୍ୟା କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ‌୍ ଅପରେସନ୍‌ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଜଣେ ସ୍କୁଲ୍‌ ଶିକ୍ଷୟିତ୍ରୀ ରଜନୀ ବାଳାଙ୍କୁ ଗୁଳି କରି ହତ୍ୟା କରିବାର ୨ ଦିନ ପରେ ଆଜି ଏହି ହତ୍ୟାକାଣ୍ଡ ହୋଇଛି।

Deccan Herald

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସହିତ ଏସଂପର୍କରେ ଆଲୋଚନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ପ୍ରାୟ ଘଣ୍ଟ‌ାଏ ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିଲା। ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶାହ କାଶ୍ମୀର ସୁରକ୍ଷା ସ୍ଥିତି ସମୀକ୍ଷା କରିବେ। ଟାର୍ଗେଟ୍‌ କିଲିଂକୁ ରୋକିବା ପାଇଁ ସରକାର ଅତି କଠୋର ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସୁରକ୍ଷା ବାହିନୀକୁ ସିଧାସଳଖ ଚ୍ୟାଲେଂଜ କରିବାରେ ବିଫଳ ହୋଇ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରୁଥିବାରୁ ଜଟିଳ ସ୍ଥିତି ଉପୁଜିଛି। ଏଥିପାଇଁ ପଣ୍ଡିତମାନେ ଗଣ ପଳାୟନ ମଧ୍ୟ ଆରମ୍ଭ ହୋଇଯାଇଥିବାରୁ ଏହାକୁ ରୋକିବା ପାଇଁ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଂଜ ହୋଇଛି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ବ୍ୟାଙ୍କ୍‌ ମ୍ୟାନେଜରଙ୍କ ହତ୍ୟା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଏନ୍‌ଡିଏ ସରକାର କାଶ୍ମୀରରେ ଶାନ୍ତି ଫେରାଇବା‌ରେ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ସରକାର କାଶ୍ମୀରରେ ନାଗରିକଙ୍କୁ ସୁରକ୍ଷା ଦେବା ଉଚିତ ବୋଲି ଗେହଲଟ୍‌ ଏକ ଟ୍ବିଟ୍‌ କରି କହିଛନ୍ତି। ଏନ୍‌ସି ଉପସଭାପତି ଓମାର ଅବଦୁଲ୍ଲା ଏବଂ ପିପୁଲ୍ସ କନଫରେନ୍ସ ଅଧ୍ୟକ୍ଷ ସଜାଦ ଲୋନ୍‌ ଏହି ହତ୍ୟାକାଣ୍ଡକୁ କଡ଼ା ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର