ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟ କ୍ରମଶଃ ନିଷ୍କ୍ରିୟ ହେଉଥିବାରୁ ସହଯୋଗୀ ଦଳମାନଙ୍କର ଚିନ୍ତା ବଢ଼ିଛି। ମେଣ୍ଟର ମୁଖ୍ୟ ଅଂଶୀଦାର କଂଗ୍ରେସ ଏବେ ବିଧାନସଭା ନିର୍ବାଚନ ଉପରେ ଫୋକସ୍ କରୁଥିବା ବେଳେ ଇଣ୍ଡିଆ ମେଣ୍ଟର କୌଣସି ରଣନୀତି କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ମେଣ୍ଟ ସହଯୋଗୀମାନେ ଆପତ୍ତି ଉଠାଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ଆଗକୁ ବଢ଼ିପାରୁ ନ ଥିବାରୁ ଏଥିପାଇଁ କଂଗ୍ରେସକୁ ଦାୟୀ କରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କ ସହ ଫୋନରେ କଥା ହୋଇ କହିଛନ୍ତି ଯେ, ବିରୋଧୀ ମେଣ୍ଟ ତାଙ୍କ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ କଂଗ୍ରେସ ବର୍ତ୍ତମାନ ୫ଟି ରାଜ୍ୟ ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ମିଜୋରାମର ବିଧାନସଭା ନିର୍ବାଚନ ଉପରେ ଧ୍ୟାନ ଦେଉଛି ଏବଂ ରାଜ୍ୟ ନିର୍ବାଚନ ସରିବା ପରେ ମେଣ୍ଟର ଏଜେଣ୍ଡା ଓ ମିଳିତ ରାଲି ଉପରେ ଧ୍ୟାନ ଦିଆଯିବ ବୋଲି ଖଡ଼ଗେ କହିଛନ୍ତି।
ଗତ ନଭେମ୍ବର ୨ ତାରିଖରେ ନୀତୀଶ କୁମାର ଅଭିଯୋଗ କରିଥିଲେ ଯେ, କଂଗ୍ରେସ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ଧ୍ୟାନ କେନ୍ଦ୍ରିତ କରିଥିବାରୁ ଇଣ୍ଡିଆ ମେଣ୍ଟର ଲକ୍ଷ୍ୟ ହାସଲରେ ବାଧା ସୃଷ୍ଟି ହେଉଛି। ପାଟନାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ‘ଭାଜପା ହଟାଓ, ଦେଶ ବଞ୍ଚାଅ’ ଶୀର୍ଷକ ଏକ ରାଲିରେ ଯୋଗ ଦେଇ ଜେଡିୟୁ ନେତା ଏହି ମନ୍ତବ୍ୟ ଦେଇଥିଲେ। ନୀତୀଶ କହିଥିଲେ, ମେଣ୍ଟର ଏଜେଣ୍ଡାରେ ବିଶେଷ ଅଗ୍ରଗତି ହୋଇପାରୁ ନାହିଁ। ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ଅଧିକ ଆଗ୍ରହୀ ଥିବା ଜଣାପଡିଛି। ବିଜେପି ବିରୋଧରେ ଲଢ଼ିବା ପାଇଁ ଆମେ ସମସ୍ତେ କଂଗ୍ରେସକୁ ଅଗ୍ରଣୀ ଭୂମିକା ଦେବାକୁ ରାଜି ହୋଇଥିଲୁ। କିନ୍ତୁ ଯାହା ଜଣାପଡ଼ୁଛି, ଚଳିତ ରାଜ୍ୟ ନିର୍ବାଚନ ସରିବା ପରେ ହିଁ ସେମାନେ ଏ ଦିଗରେ କାର୍ଯ୍ୟ କରିବେ ଏବଂ ପରବର୍ତ୍ତୀ ବୈଠକ ଡାକିବେ।
ଜୁନ୍ ମାସରେ ପାଟନାରେ ବିରୋଧୀ ଦଳ ନେତାଙ୍କ ପ୍ରଥମ ବୈଠକ ଆୟୋଜନ କରିବାରେ ଜେଡିୟୁ ନେତା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜୁଲାଇରେ ବେଙ୍ଗାଲୁରୁ ଏବଂ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ମୁମ୍ବାଇରେ ବିରୋଧୀ ଦଳ ନେତାଙ୍କ ଅନ୍ୟ ଦୁଇଟି ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ ଟକ୍କର ଦେବା ପାଇଁ ଏହି ମେଣ୍ଟ ଗଠନ କରାଯାଇଛି। ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ ଏନ୍ଡିଏ ମେଣ୍ଟର ଭବିଷ୍ୟତ ରଣନୀତି ନେଇ ଗୁରୁତ୍ବାରୋପ କରିଛନ୍ତି ଏବଂ ଆଜି କଂଗ୍ରେସ ସଭାପତି ଖଡ଼ଗେଙ୍କ ସହ କଥା ହୋଇଛନ୍ତି।