ନୂଆଦିଲ୍ଲୀ: କେମିତି ଅଛନ୍ତି ହେଲିକପ୍ଟର ଦୁର୍ଘଟଣାରୁ ବଞ୍ଚିଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂ? ଆଜି ତାଙ୍କ ସ୍ୱାସ୍ଥ୍ୟ ବାବଦରେ ଅପଡେଟ ଦେଇଛି ବାୟୁସେନା | ବାୟୁସେନାର ସୂଚନା ମୁତାବକ ତାଙ୍କ ଅବସ୍ଥା ସ୍ଥିର ରହିଛି। ଏବେ ସେ ବେଙ୍ଗାଲୁରୁ କମାଣ୍ଡ ହସ୍ପିଟାଲରେ ଲାଇଫ୍ ସପୋର୍ଟ ସିଷ୍ଟମରେ ଅଛନ୍ତି। ଭାରତୀୟ ବାୟୁସେନା ଅଧିକାରୀଙ୍କ ସୂଚନା ମୁତାବକ ତାଙ୍କ ସ୍ୱାସ୍ଥ୍ୟ ଏବେ ବି ସମ୍ପୂର୍ଣ୍ଣ ଠିକ ହୋଇନଥିଲେ ବି ଏବେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି | ସୂଚନା ଥାଉ କି ବରୁଣ ସିଂଙ୍କୁ ଗୁରୁବାର ତାମିଲନାଡୁର ୱେଲିଙ୍ଗଟନରୁ ବେଙ୍ଗାଲୁରୁର କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

Advertisment

ଗ୍ରୁପ୍ କ୍ୟାପଟେନ୍ ସିଂଙ୍କୁ ଅଗଷ୍ଟ ମାସରେ ଶୌର୍ଯ୍ୟ ଚକ୍ରରେ ପୁରସ୍କୃତ କରାଯାଇଥିଲା | ଏକ ଅପ୍ରୀତିକର ସ୍ଥିତିରୁ ତେଜସ୍ ଯୁଦ୍ଧ ବିମାନକୁ ସଫଳତାର ସହ ଲ୍ୟାଣ୍ଡିଙ୍ଗ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ତାମିଲନାଡୁର କୁନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରୁ ଏକମାତ୍ର ବଞ୍ଚିଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ ମଙ୍ଗଳ ପାଇଁ ମାତା ପାଟେଶ୍ୱରୀଙ୍କୁ ପ୍ରାର୍ଥନା କରିଥିଲେ । ବଳରାମପୁରରେ ସରଜୁ କେନାଲର ଉଦଘାଟନୀ ସମାରୋହ ପରେ ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶ ତାଙ୍କ ପରିବାର ସହିତ ଛିଡା ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଦିନ ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ ପିତାଙ୍କ ସହ କଥା ହୋଇଥିଲେ ।

ଉଲ୍ଲେଖ ଥାଉ କି ଡିସେମ୍ବର ୮ ରେ ତାମିଲନାଡୁର କନ୍ନୁର ନିକଟରେ ଏକ ମି-୧୭ ଭି ୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର୍ ଏଲ୍.ଏସ୍ ଲିଡର୍ ଏବଂ ଅନ୍ୟ ଦଶ ଜଣ ସେନା କର୍ମଚାରୀଙ୍କର ଦେହାନ୍ତ ହୋଇଯାଇଥିଲା |