ବାପା ଡ଼ାକିଲାନି ବୋଲି କୁନି ଝିଅକୁ ସିଗାରେଟ ଚେଙ୍କ ଦେଲେ କନେଷ୍ଟବଳ

ରାୟପୁର: ବାପା ଡ଼ାକିଲାନି ବୋଲି କୁନି ଝିଅକୁ ସିଗାରେଟ ଚେଙ୍କ ଦେଲେ କନେଷ୍ଟବଳ | ଛତିଶଗଡର ବାଲୋଡ ଜିଲ୍ଲାରେ ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି | ଜଣେ କନଷ୍ଟେବଳ ଦେଢ଼ ବର୍ଷର ଝିଅକୁ ସିଗାରେଟ ଚେଙ୍କ ଦେଇଥିବାର ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଛି | ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ କନେଷ୍ଟବଳ ଜଣକ କୁନି ଝିଅକୁ ବାପା ଡାକିବା ପାଇଁ ଚାପ ପକାଇଥିଲେ, କିନ୍ତୁ ଝିଅଟି ଏଭଳି କରିନଥିଲା, ଆଉ ଏଥିରେ ଉତ୍ତେଜିତ ହୋଇ ଝିଅର ଶରୀରର ଅନେକ ସ୍ଥାନରେ ସିଗାରେଟ୍ ଚେଙ୍କ ଦେଇଥିଲେ |

ବାଲୋଡ ଜିଲ୍ଲାର ପୁଲିସ ଅଧିକାରୀ ଶନିବାର କହିଛନ୍ତି ଯେ ଏହି ଘଟଣାରେ କନେଷ୍ଟବଳ ଅବିନାଶ ରାୟଙ୍କୁ ଗିରଫ କରାଯାଇଛି । ଅବିନାଶ ଗୁରୁବାର ଦିନ ଦେଢ଼ ବର୍ଷର ଝିଅକୁ ସିଗାରେଟ ଚେଙ୍କ ଦେବା ସହ ତାଙ୍କ ମା’ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରଠାରୁ ଅଭିଯୁକ୍ତ ଫେରାର ଥିଲେ। ପୁଲିସ ଅଧିକାରୀ କହିଛନ୍ତି ଯେ ମହିଳାଙ୍କ ଅଭିଯୋଗ ପରେ ଅବିନାଶଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ​​ଏବଂ ତାଙ୍କୁ ଶନିବାର ଦିନ ଦୁର୍ଗ ଜିଲ୍ଲାର ଭିଲାଇ ସହରରୁ ଗିରଫ କରାଯାଇଥିଲା। ପୁଲିସ ଅଧିକାରୀଙ୍କ କହିବା ମୁତାବକ ଅଭିଯୁକ୍ତ କନେଷ୍ଟବଳଙ୍କୁ ବାଲୋଡ ପୁଲିସ ଷ୍ଟେସନରେ କିଛି ଦିନ ପୂର୍ବରୁ ପୋଷ୍ଟିଙ୍ଗ ଦିଆଯାଇଥିଲା |

ସେହି ସମୟରେ ସେ ସହରର ସେଓନି ଅଞ୍ଚଳରେ ଥିବା ମହିଳାଙ୍କ ଘରେ ରହୁଥିଲେ। ମହିଳାଙ୍କ ସ୍ୱାମୀ ନାଗପୁରରେ ରହୁଥିବାବେଳେ ଗୁରୁବାର ରାତିରେ ଅବିନାଶ ନିଶାସକ୍ତ ଅବସ୍ଥାରେ ଦେଢ଼ ବର୍ଷର ଝିଅକୁ ବାପା ଡାକିବାକୁ କହିଥିଲେ | ଯେତେବେଳେ ଝିଅ ଏହା କରିନଥିଲା ସେତେବେଳେ ଝିଅର ପେଟ ଓ ହାତରେ ସିଗାରେଟ ଚେଙ୍କ ଦେଇଥିଲେ ଓ ମହିଳାଙ୍କୁ ଆକ୍ରମଣ କରିଥିଲେ | ଏହା ପରେ କନେଷ୍ଟବଳ ଜଣକ ଫେରାର ହୋଇଯାଇଥିଲେ | ମହିଳାଜଣକ ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଶେଷରେ ଗିରଫ କରିଛି |

ସମ୍ବନ୍ଧିତ ଖବର