ମାନିଲେ ୨ ସନ୍ଦିଗ୍ଧ ଆତଙ୍କବାଦୀ

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ସହ ଯୋଗାଯୋଗ ଥିଲା

ଲକ୍ଷ୍ନୌ : ୟୁପି ଏଟିଏସ୍‌ ଦ୍ବାରା ଗତ ସପ୍ତାହରେ ଗିରଫ ହୋଇଥିବା କଶ୍ମୀରର ଦୁଇ ସନ୍ଦିଗ୍ଧ ଜେଇଏମ୍‌ ଆତଙ୍କବାଦୀ ଶାହନବାଜ ତେଲି ଏବଂ ଅବଦୁଲ ଆକିବ ମଲିକ ଆଜି ସ୍ବୀକାର କରିଛନ୍ତି ଯେ ସେମାନଙ୍କର ଜେଇଏମ୍‌ ସହ ସମ୍ପୃକ୍ତି ଥିଲା ଏବଂ ପୁଲ୍‌ୱାମା ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଗାଜି ସହ ମଧ୍ୟ ‌ସେମାନେ ଯୋଗାଯୋଗରେ ଥିଲେ।
ସେମାନେ ଛାତ୍ର ବେଶରେ ୟୁପିରେ ରହି ଜେଇଏମ୍‌ ପାଇଁ ଯୁବକମାନଙ୍କୁ ନିଯୁକ୍ତି ଦେଉଥିଲେ ଏବଂ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲେ। ସେମାନଙ୍କ ମୋବାଇଲ୍‌ରେ ଥିବା ଏକ ଚାଟ୍‌ରୁ ଏହା ଜଣାପଡ଼ିଛି। ମୋବାଇଲ୍‌ରୁ ମିଳିଥିବା କିଛି ଭଏସ୍‌ ମେସେଜ୍‌କୁ ନେଇ ୟୁପି ଏଟିଏସ୍‌ ଏବେ ଖୋଳତାଡ଼ ଆରମ୍ଭ କରିଦେଇଛି। ଡିଜିପି ଓପି ସିଂହ ଏହି ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପ୍ରାୟ ୪ ଘଣ୍ଟା କାଳ ଜେରା କରିବାରେ ଜେଇଏମ୍‌ ସହ ସମ୍ପୃକ୍ତି ଥିବା କଥା ସେମାନେ ସ୍ବୀକାର କରିଛନ୍ତି। ଶାହନବାଜ୍‌ ଗତ ଦେଢ଼ ବର୍ଷ ହେଲା ଜେଇଏମ୍‌ ସହ ଜଡ଼ିତ ଥିଲା ଏବଂ ଆକିବ ଗତ ୬ ମାସ ହେଲା ଜେଇଏମ୍‌ ପାଇଁ କାମ କରୁଥିବା ଜଣାଯାଇଛି। ଜେଇଏମର କିଛି ଶୀର୍ଷ କମାଣ୍ଡର ସେମାନଙ୍କ ସହ ନିୟମିତ ଯୋଗାଯୋଗ ରଖୁଥିଲେ। ସେମାନେ କିଛି ସ୍ଥାନକୁ ବି‌ସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ନେବାର ଯୋଜନା ରଖିଥିଲେ ଏବଂ ଖୁବ୍‌ଶୀଘ୍ର କିଛି ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲେ ବୋଲି ମୋବାଇଲରେ ସେମାନଙ୍କ କଥାବାର୍ତ୍ତାରୁ ଜଣାପଡ଼ିଛି। ସେହିପରି କଶ୍ମୀରରେ ମଧ୍ୟ ସେମାନେ କିଛି ଛଦ୍ମ ଗ୍ରେନେଡ୍‌ ଲୁଚାଇ ରଖିଛନ୍ତି। ତଦନ୍ତ ପାଇଁ ଏହି ସନ୍ଦିଗ୍ଧ ଦ୍ବୟଙ୍କୁ କଶ୍ମୀର ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର