କଂଗ୍ରେସ ମୋତେ ନୁହେଁ, ନେତୃତ୍ବ ଆବଶ୍ୟକ କରେ : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : କଂଗ୍ରେସରେ ଯୋଗ ଦେବା ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ପରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ତାଙ୍କ ଅପେକ୍ଷା ନେତୃତ୍ବ ଆବଶ୍ୟକ କରେ । ଏହା ସହିତ ଦଳର ସାଂଗଠନିକ ସ୍ତରରେ ଥିବା ସମସ୍ୟାର ସମାଧାନ ପାଇଁ ସାମୁହିକ ଇଚ୍ଛାଶକ୍ତି ଆବଶ୍ୟକ ।

ଏକ ଟୁଇଟ କରି ସେ ଲେଖିଛନ୍ତି, “ମୁଁ ଦଳରେ ଯୋଗ ଦେବା ପାଇଁ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଅଫରକୁ ବିନୟତାର ସହ ପ୍ରତ୍ୟାଖ୍ୟାନ କରୁଛି । ମୋ ମତରେ, ମୋ ଅପେକ୍ଷା କଂଗ୍ରେସ ଦଳ  ନେତୃତ୍ବ ଓ ସାଂଗଠନିକ ସ୍ତରରେ ଥିବା ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକ ସଂସ୍କାର ପାଇଁ ସାମୁହିକ ଇଚ୍ଛାଶକ୍ତି ଆବଶ୍ୟକ କରେ ।

ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେଓ୍ବାଲା ପ୍ରଶାନ୍ତ କିଶୋରଙ୍କ ପ୍ରତ୍ୟାଖ୍ୟାନ ସଂପର୍କରେ ସୂଚନା ଦେଇଥିଲେ ।   “ପ୍ରଶାନ୍ତ କିଶୋରଙ୍କ ସହ ଆଲୋଚନା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ୨୦୨୪ ନିର୍ବାଚନ ପାଇଁ ଏକ କ୍ଷମତାଶାଳୀ କମିଟି ଗଠନ କରିଥିଲେ ଓ କେତେକ ନିର୍ଦ୍ଦିଷ୍ଟ ଦାୟିତ୍ବ ସହ ସେଥିରେ ଯୋଗ ଦେବାକୁ ପ୍ରଶାନ୍ତଙ୍କୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ସେ ମନା କରିଦେଇଛନ୍ତି । ଦଳକୁ ସେ ଦେଇଥିବା ପରାମର୍ଶ ପାଇଁ ଦଳ ତାଙ୍କୁ ଧନ୍ୟବାଦ ଦେଉଛି ।“ବୋଲି ସେ ଟୁଇଟ କରି ଲେଖିଥିଲେ ।

ଦୁଇ ସପ୍ତାହ ତଳେ ପ୍ରଶାନ୍ତ କିଶୋର ସୋନିଆଙ୍କୁ ଭେଟିବା ସହ ୨୦୨୪ ନିର୍ବାଚନରେ ବିଜୟ ପାଇଁ କେତେକ ପରାମର୍ଶ ଓ ବ୍ଲୁପ୍ରିଣ୍ଟ ପ୍ରଦାନ କରିଥିଲେ । ଏହା ପରେ ସେ କଂଗ୍ରେସରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ସମ୍ବନ୍ଧିତ ଖବର