କଙ୍ଗୋ : ସେନା ଶିବିର ଓ ଡାକ୍ତରଖାନା ଉପରେ ଆକ୍ରମଣ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ସେନା

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ କଙ୍ଗୋରେ ଶାନ୍ତିରକ୍ଷା ପାଇଁ ମୁତୟନ ହୋଇଥିବା ଭାରତୀୟ ସେନା ଶିବିର ଉପରେ ଏକ ସ୍ଥାନୀୟ ମିଲିସିଆ ଆକ୍ରମଣ ଓ ଲୁଟ୍ ପାଇଁ ଉଦ୍ୟମ କରିଥିବା ସୂଚନା ମିଳିଛି । କିନ୍ତୁ ଏହି ଉଦ୍ୟମକୁ ପଣ୍ଡ କରିଦେଇଛି ଭାରତୀୟ ସେନା ।

କଙ୍ଗୋରେ ଏବେ ଗୃହଯୁଦ୍ଧ ପରିସ୍ଥିତି ଉପୁଜିଥିବାବେଳେ ଶାନ୍ତି ରକ୍ଷା ପାଇଁ ସେଠାରେ ଜାତିସଂଘ ପକ୍ଷରୁ ଶାନ୍ତିବାହିନୀ ମୁତୟନ ହୋଇଛି । ଏହି ଶାନ୍ତିବାହିନୀରେ ଭାରତୀୟ ସେନା ମଧ୍ୟ ଅଂଶଗ୍ରହଣ କରିଛି ।

ଭାରତୀୟ ସେନା ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଏକ ସଶସ୍ତ୍ର ଗୋଷ୍ଠୀ ଭାରତୀୟ ସେନାର ଶିବିର, କେତେକ ଜାତିସଂଘ ଅଫିସ ଓ ସେନା ପକ୍ଷରୁ ସ୍ଥାପିତ ଲେବଲ-୩ ହସପିଟାଲ ଉପରେ ଆକ୍ରମଣ କରି ଲୁଟ ଉଦ୍ୟମ କରାଯାଇଥିଲା । କିନ୍ତୁ ଭାରତୀୟ ସେନାର ସତର୍କ ଦୃଷ୍ଟିରୁ ସେମାନେ ବର୍ତ୍ତି ପାରିନଥିଲେ । ଭାରତୀୟ ସେନା ଜାତିସଂଘ ଆଇନକୁ ପାଳନ କରିବା ସହ ସେମାନଙ୍କୁ ଘଉଡ଼େଇଦେଇଥିଲା ।

ଉକ୍ତ ମିଲିସିଆ ପକ୍ଷରୁ ଜାତିସଂଘର କେତେକ ଅଫିସରେ ପଶି ଭଙ୍ଗାରୁଜା କରାଯାଇଛି । ତେବେ ଭାରତୀୟ ସେନା ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜାତିସଂଘ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିଥିଲା ।

ଗତ ମେ ୨୨ରେ କେତେକ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ କଙ୍ଗୋ ସେନା ଶିବିର ଉପରେ ଆକ୍ରମଣ କରିଥିଲା । କିନ୍ତୁ ଜାତିସଂଘ ଶାନ୍ତି ସେନା ଏହି ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଦେଇଥିଲା ।

ସମ୍ବନ୍ଧିତ ଖବର