ବିଧାନସଭାରେ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଭେଟିବାକୁ ପ୍ରସ୍ତାବ, ଦ୍ରୌପଦୀଙ୍କୁ ବିଶ୍ବନେତାଙ୍କ ଶୁଭେଚ୍ଛା

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୋମବାର ଦିନ ଓଡ଼ିଶା ବିଧାନସଭା ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। ଏ ‌ସଂକ୍ରାନ୍ତରେ ଏକ ସଂକଳ୍ପ ଗୃହରେ ପାରିତ ହୋଇଛି। ଆଜି ଅପରାହ୍ନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସଂକଳ୍ପ ଆଗତ କରିଥିଲେ। ଏହା ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା। ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଆଜି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ଦିନ। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ତାଙ୍କୁ ବିଧାନସଭା ପକ୍ଷରୁ ଅଭିନନ୍ଦନ ଜଣାଯାଉଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରସ୍ତାବ ଦେଇଥିଲେ ଯେ, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ରାଷ୍ଟ୍ରପତି ଭବନକୁ ଯାଇ ବ୍ୟକ୍ତିଗତ ଭାବେ ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇବାର ବ୍ୟବସ୍ଥା କରାଯାଉ। ଏହି ପ୍ରସ୍ତାବ ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି କହିଥିଲେ।

ଦ୍ରୌପଦୀଙ୍କୁ ବିଶ୍ବନେତାଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ  : ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଖାଲି ଦେଶରେ ନୁହେଁ, ବିଦେଶରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି। ଚୀନ୍‌, ରୁଷ୍‌, ଶ୍ରୀଲଙ୍କା ରାଷ୍ଟ୍ରପତି ଏବଂ ନେପାଳ ‌ପ୍ରଧାନମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା‌ ଜଣାଇଛନ୍ତି। ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁର୍ମୁଙ୍କ ସହ ସେ କାମ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଶୁଭେଚ୍ଛା ବାର୍ତ୍ତା ଦେଇ ଜିନପିଙ୍ଗ କହିଛନ୍ତି, ଚୀନ୍‌ ଏବଂ ଭାରତ ପରସ୍ପରର ଗୁରୁତ୍ବପୂର୍ଣ୍ଣ ପଡ଼ୋଶୀ। ଭାରତ-ଚୀନ୍‌ ସମ୍ପର୍କକୁ ମଧ୍ୟ ‌ସେ ଗୁରୁତ୍ବ ଦିଅନ୍ତି। ତେଣୁ ରାଜନୈତିକ ପାରସ୍ପରିକ ଆସ୍ଥା ବୃଦ୍ଧି ପାଇଁ ସେ ମୁର୍ମୁଙ୍କ ସହ କାମ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରୁଷ୍‌ ସହ ଦ୍ବିପାକ୍ଷିକ ସମ୍ପର୍କ ଓ ସହଯୋଗ ବୃଦ୍ଧି ଦିଗରେ ମୁର୍ମୁ କାମ କରିବେ ବୋଲି ପୁଟିନ ଆଶା ପ୍ରକଟ କରିଛନ୍ତି। ଶ୍ରୀଲଙ୍କାର ନବ ନିର୍ବାଚିତ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ମଧ୍ୟ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର‌ ଦେଉବା ମଧ୍ୟ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଉବା କହିଛନ୍ତି, ନେପାଳ ସରକାର ଏବଂ ଲୋକଙ୍କ ପକ୍ଷରୁ ମୁଁ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଉଛି।

ସମ୍ବନ୍ଧିତ ଖବର