ଜାହାଙ୍ଗୀରପୁର ଜବରଦଖଲ ଉଚ୍ଛେଦ କାର୍ଯ୍ୟକୁ କଂଗ୍ରେସ, ଆପ୍‌ର ନିନ୍ଦା: ଆଗ ଗୃହମନ୍ତ୍ରୀଙ୍କ ଘର ଭାଙ୍ଗ

ନୂଆଦିଲ୍ଲୀ: ଜାହାଙ୍ଗୀରପୁରରେ ଆଜି ହୋଇଥିବା ଜବରଦଖଲ ଉଚ୍ଛେଦ କାର୍ଯ୍ୟକୁ କଂଗ୍ରେସ ଓ ଆପ୍ ନିନ୍ଦା କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଗରିବ ଓ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରି ସରକାର ଏହି ଉଚ୍ଛେଦ କାର୍ଯ୍ୟ କରିଛନ୍ତି। ଏହା ରାଷ୍ଟ୍ର ପ୍ରାୟୋଜିତ ଏବଂ ଭାରତର ସାମ୍ବିଧାନିକ ମୂଲ୍ୟବୋଧକୁ ଏହାଦ୍ବାରା ଉଚ୍ଛେଦ କରାଯାଇଛି। ଏହା କରିବା ପରିବର୍ତ୍ତେ ବିଜେପି ହୃଦୟରେ ଥିବା ଘୃଣାକୁ ବୁ‌ଲଡୋଜ୍‌ କରିବା ଉଚିତ ବୋଲି ରାହୁଲ କହିଛନ୍ତି।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ ଏହି ଉଚ୍ଛେଦ ଘଟଣାକୁ ଡ୍ରାମା ବୋଲି କହିଛନ୍ତି। ଯେଉଁ ବିଜେପି ନେତାମାନେ ସେଠାରେ ଦୀର୍ଘବର୍ଷ ଧରି ବେଆଇନ ନିର୍ମାଣକୁ ସୁରକ୍ଷା ଦେଇ ଚାନ୍ଦା ଆଦାୟ କରୁଥିଲେ ସେମାନଙ୍କ ଘରକୁ ଭଙ୍ଗାଯିବା ଉଚିତ ବୋଲି ସିସୋଦିଆ କହିଛନ୍ତି। ଆପ୍‌ ସାଂସଦ ରାଘବ ଚଢ଼ା ସିଧା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍ କରି ସେ ହିଁ ଏ ସାମ୍ପ୍ରଦାୟିକ ଦଙ୍ଗାର ମୁଖ୍ୟ ପୁରୋଧା ବୋଲି କହିଛନ୍ତି। ଆଗେ ବୁଲ୍‌ଡୋଜର ଚଲାଇ ତାଙ୍କ ଘର ଭଙ୍ଗାଯାଉ, ତା’ପରେ ଦଙ୍ଗା ବନ୍ଦ ହୋଇଯିବ। ସେ ପୁଣି ଅଭିଯୋଗ କରିଛନ୍ତି, ଦିଲ୍ଲୀ ପୌର ନିଗମଗୁଡ଼ିକ ୧୫ ବର୍ଷ ହେଲା ବିଜେପି ହାତରେ ରହିଛି ଏବଂ ଏହାର ନେତାମାନେ ଲାଞ୍ଚ ନେଇ ବେଆଇନ ନିର୍ମାଣ ପାଇଁ ଅନୁମତି ଦେଉଛନ୍ତି। ଆଜି ସେମାନେ ଯେତେବେଳେ ସେହି ବେଆଇନ ନିର୍ମାଣକୁ ଭାଙ୍ଗିବାକୁ ଯାଉଛନ୍ତି, ସେତେବେଳେ ଆଗ ସେହି ବିଜେପି ନେତାଙ୍କ ଘର ଭାଙ୍ଗିବା ଉଚିତ।

ସମ୍ବନ୍ଧିତ ଖବର