ନୂଆଦିଲ୍ଲୀ: ନିର୍ବାଚନରେ ଜିତିଲେ ଦିଲ୍ଲୀର କାଲକାଜି ବିଧାନସଭା ନିର୍ବାଚନ ମଣ୍ଡଳୀର ସଡ଼କଗୁଡ଼ିକ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି ଚିକ୍କଣ କରିଦେବେ ବୋଲି ବିଜେପି ପ୍ରାର୍ଥୀ ରମେଶ ବିଧୁଡ଼ିଙ୍କ ମନ୍ତବ୍ୟକୁ ନେଇ ବଡ଼ ଧରଣର ବବାଦ ସୃଷ୍ଟି ହୋଇଛି। ଏହି ବୟାନକୁ ନେଇ ବିଜେପି ନେତା ବିଧୁଡ଼ି ଉଭୟ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍)ର କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ବିଧୁଡ଼ି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମଧ୍ୟ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆତିଶୀ ତାଙ୍କ ବାପାଙ୍କୁ ମଧ୍ୟ ବଦଳାଇ ଦେଇଛନ୍ତି। ଆତିଶୀ ମାର୍ଲେନା ହଠାତ୍ ଆତିଶୀ ସିଂହ ପାଲଟିବା ବିସ୍ମୟକର ବୋଲି ସେ କହିଛନ୍ତି। ଏହାକୁ ନେଇ ଆପ୍ ବିଧୁଡ଼ିଙ୍କୁ ଭର୍ତ୍ସନା କରିଛି।
କାଲକାଜିର ବିଜେପି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ରମେଶ ବିଧୁଡ଼ି ଆଜି ଏକ ପ୍ରଚାର କାର୍ଯ୍ୟକ୍ରମରେ କହିଥିଲେ ଯେ ଏକଦା ଲାଲୁ ପ୍ରସାଦ ବିହାରର ରାସ୍ତାକୁ ହେମମାଳିନୀଙ୍କ ଗାଲ ଭଳି ଚିକ୍କଣ କରିଦେବେ ବୋଲି କହିଥିଲେ, କିନ୍ତୁ ଏହି ପ୍ରତିଶ୍ରୁତି ପୂରଣ କରିବାରେ ସେ ବିଫଳ ହୋଇଥିଲେ। ମୁଁ ଏହି ପ୍ରତିଶ୍ରୁତି ଦେଉଛି ଯେ ଓଖଲା ଓ ସଙ୍ଗମ ବିହାର ସଡ଼କର ଯେଉଁଭଳି କାୟାକଳ୍ପ ଘଟିଛି ସେଭଳି କାଲକାଜିରେ ଘଟିବ। ସଡ଼କଗୁଡ଼ିକ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି ଚିକ୍କଣ ନିର୍ମାଣ କରାଇବେ। ଏଭଳି ମନ୍ତବ୍ୟକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ରଖିଛି। ବିଜେପି ‘ମହିଳା ବିରୋଧୀ’ନେତାଙ୍କୁ ପ୍ରଶ୍ରୟ ଦେଉଛି।
ଏଭଳି ମନ୍ତବ୍ୟ ‘ଘୃଣିତ ମାନସିକତା’କୁ ଦର୍ଶାଉଛି ଓ ଲଜ୍ଜାଜନକ ବୋଲି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଛନ୍ତି। ସେହିଭଳି ଦିଲ୍ଲୀର ଶାସକ ଦଳ ଆପ୍ର ସାଂସଦ ସଞ୍ଜୟ ସିଂହ ମଧ୍ୟ ଏହାକୁ ‘ଶସ୍ତା ଓ ଲଜ୍ଜାଜନକ’ ମନ୍ତବ୍ୟ ବୋଲି କହିବା ସହ ବିଜେପି ପ୍ରାର୍ଥୀମାନେ ଖୋଲାଖୋଲି ଭାବେ ଟଙ୍କା ବାଣ୍ଟୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏହାର ପ୍ରତିକ୍ରିୟାରେ ପ୍ରାର୍ଥୀ ରମେଶ ନିଜର ମନ୍ତବ୍ୟ ନିମନ୍ତେ କୌଣସି ପ୍ରକାରେ ଅନୁତପ୍ତ ନୁହନ୍ତି ବୋଲି କହିବା ସହ ହେମା ମାଲିନୀଙ୍କ ଉପରେ ଇଣ୍ଡି ମେଣ୍ଟର ସହଯୋଗୀ ଲାଲୁ ଯାଦବଙ୍କ ଅନୁରୂପ ମନ୍ତବ୍ୟରେ କେତେଜଣ କ୍ଷମା ମାଗିଥିଲେ ବୋଲି ଓଲଟି ପ୍ରଶ୍ନ ପଚାରିଛନ୍ତି। ତେବେ ଏହାର କିଛି ସମୟ ପରେ ସେ ନିଜର ମନ୍ତବ୍ୟ ନିମନ୍ତେ କ୍ଷମା ମାଗିଛନ୍ତି ଏବଂ ମନ୍ତବ୍ୟ ପ୍ରତ୍ୟାହାର କରିନେଉଥିବା କହିଛନ୍ତି।