ମୋଦୀ ରାଜ୍‌ରେ କଂଗ୍ରେସର ଅଚ୍ଛେଦିନ୍‌

ଅଟକିଲା ବିଜେପି ରଥ: କଂଗ୍ରେସ ଦଖଲରେ ଛତିଶଗଡ଼, ରାଜସ୍ଥାନ

ନୂଆଦିଲ୍ଲୀ: ୨୦୧୯ରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ପାଇଁ ବଡ଼ଧରଣର ଝଟ୍‌କା ହୋଇଛି। ତେଲେଙ୍ଗାନା ଓ ମିଜୋରାମରେ ମଧ୍ୟ ଏହାର ଅବସ୍ଥା ଶୋଚନୀୟ। ରିପୋର୍ଟ ଲେଖା ହେଲା ବେଳକୁ ମଧ୍ୟପ୍ରଦେଶରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ଚାଲିଥିବା ବେଳେ ରାଜସ୍ଥାନ ଓ ଛତିଶଗଡ଼କୁ ଦଖଲ କରି ନେଇଛି କଂଗ୍ରେସ। ତେଲେଙ୍ଗାନାରେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ ଅଧିକ ସଂଖ୍ୟକ ଆସନ ହାସଲ କରି କ୍ଷମତା ବଜାୟ ରଖିଥିବା ବେଳେ ମିଜେରାମରେ ୧୦ ବର୍ଷ ଧରି କ୍ଷମତାରେ ଥିବା କଂଗ୍ରେସକୁ ହଟାଇ ଦେଇଛି ମିଜୋ ନେସନାଲ ଫ୍ରଣ୍ଟ। ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ପରାଜୟ ସ୍ବୀକାର କରିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଆଜି ସନ୍ଧ୍ୟାରେ ନିଜ ନିଜ ରାଜ୍ୟର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପ୍ରଦାନ କରିଛନ୍ତି। ତେବେ ମଧ୍ୟ ପ୍ରଦେଶରେ ପରିସ୍ଥିତି ସ୍ପଷ୍ଟ ହୋଇନାହିଁ। ଉଭୟ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ଚାଲିଛି। ରାଜ୍ୟରେ ଦୁଇଟି ଆସନ ହାସଲ କରିଥିବା ବିଏସ୍‌ପି ଏବଂ ୬ ସ୍ବାଧୀନ ବିଧାୟକଙ୍କ ଉପରେ ନଜର ରହିଛି। ସେମାନଙ୍କ ସମର୍ଥନ ହାସଲ କରିବା ଲାଗି ଉଭୟ କଂଗ୍ରେସ ଓ ବିଜେପି ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ଆଜି ରାତିରେ ରାଜ୍ୟରେ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି ବରିଷ୍ଠ କଂଗ୍ରେସ ନେତା କମଲନାଥ। ସେ ରାଜ୍ୟପାଳଙ୍କୁ ଚିଠି ଲେଖି ସାକ୍ଷାତ ପାଇଁ ସମୟ ଲୋଡ଼ିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳକୁ ସମସ୍ତ ସ୍ବାଧୀନ ବିଧାୟକ ସମର୍ଥନ କରୁଛନ୍ତି। ସରକାରୀ ଭାବେ ଫଳାଫଳ ଘୋଷିତ ହେବାପରେ ସେମାନଙ୍କର ତାଲିକା ପ୍ରଦାନ କରାଯିବ।

ମଧ୍ୟ ପ୍ରଦେଶରେ ସସ୍‌ପେନ୍‌ସ
ତେଲେଙ୍ଗାନାରେ କେସିଆରଙ୍କ ବାଜିମ‌ାତ୍
ମିଜୋରାମରେ କଂଗ୍ରେସ ମୂଳପୋଛ

ଏହି ତିନିଟି ରାଜ୍ୟରେ‌ କଂଗ୍ରେସ ସରକାର ଗଠନ କଲେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ମଧ୍ୟ ପ୍ରଦେଶରେ କମଲନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମକୁ ନେଇ ଚର୍ଚା ଚାଲିଥିବା ବେଳେ ରାଜସ୍ଥାନରେ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟ୍ ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି। ସେହିଭଳି ଛତିଶଗଡ଼ରେ ପିସିସି ସଭାପତି ଭୂପେଶ ବାଘେଲ, ବିରୋଧୀ ଦଳର ‌େନତା ଟିଏନ୍ ସିଂହଦେଓ ଏବଂ ପଛୁଆ ବର୍ଗ ନେତା ତମରଧ୍ବଜ ସାହୁଙ୍କ ନାମକୁ ନେଇ ଚର୍ଚା ଚାଲିଛି। ତେଲେଙ୍ଗାନାରେ ଟିଆରଏସ୍‌ (ତେଲେଙ୍ଗାନା ରାଷ୍ଟ୍ର ସମିତି) ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବେଳେ ମିଜୋରାମ୍‌ରେ ମିଜୋ ନ୍ୟାସନାଲ୍‌ ଫ୍ରଣ୍ଟ୍‌ (ଏମଏନ୍‌ଏଫ) କଂ‌ଗ୍ରେସ ସରକାରର ପତନ ଘଟାଇବାକୁ ସକ୍ଷମ ହୋଇଛି। ଚନ୍ଦ୍ରଶେଖର ରାଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହୋଇ ରହିବେ। ମିଜୋରାମରେ ଜୋରାମଥାଙ୍ଗା ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଛନ୍ତି। ତେବେ ଆଜି ସବୁଠାରୁ ଚର୍ଚାର ବିଷୟ ପାଲଟିଛି ଛତିଶଗଡ଼। ବିସ୍ମିତ କରିଛି ଛତିଶଗଡ଼ ଫଳାଫଳ। ସମସ୍ତ ନିର୍ବାଚନ ସ‌େର୍ଭ ଏଠାରେ ଫେଲ୍ ମାରିଛି। କଂଗ୍ରେସ ଏଠାରେ ଉଲ୍ଲେଖନୀୟ ସଫଳତା ପାଇଛି। ମୋଟ୍‌ ୯୦ ବିଧାନସଭା ଆସନରୁ ୬୭ ଆସନ ଦଖଲ କରି ଏଠାରେ ବିଜେପି ଦୁର୍ଗକୁ କଂଗ୍ରେସ ଧୂଳିସାତ୍‌ କରିଦେଇଛି। ଦୀର୍ଘ ୧୫ ବର୍ଷ ଧରି କ୍ଷମତାରେ ଥିବା ବିଜେପିକୁ ମାତ୍ର ୧୫ଟି ଆସନ ମିଳିଛି। ଅଜିତ ଯୋଗୀଙ୍କ ଛତିଶଗଡ଼ ଜନତା କଂଗ୍ରେସ ଏବଂ ବିଏସ୍‌ପି ମେଣ୍ଟକୁ ୭ଟି ଆସନ ମିଳିଥିବା ବେଳେ ଅନ୍ୟମାନଙ୍କୁ ଗୋଟିଏ ଆସନ ମିଳିଛି। ମିଜୋରାମ୍‌ରେ ୪୦ ବିଧାନସଭା ଆସନରୁ ଏମଏନ୍‌ଏଫ ୨୬ ଆସନ ଦଖଲ କରି କଂଗ୍ରେସକୁ କ୍ଷମତାଚ୍ୟୁତ କରିଛି। ଏଠାରେ କଂଗ୍ରେସ ମାତ୍ର ୫ଟି ଆସନରେ ବିଜୟୀ ହୋଇଛି ଏବଂ ବିଜେପିକୁ ଗୋଟିଏ ଆସନ ମିଳିଛି। ମିଜୋରାମ୍‌ରେ ଅନ୍ୟମାନଙ୍କୁ ୮ଟି ଆସନ ମିଳିଛି। ୫ ବର୍ଷ ତଳେ ହୋଇଥିବା ନିର୍ବାଚନରେ ବିଜେପି ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ କ୍ଷମତା ଦଖଲ କରିଥିଲା ଏବଂ ୨୦୧୪ ସାଧାରଣ ନିର୍ବାଚନରେ ଏହି ୩ ରାଜ୍ୟର ୬୫ଟି ଲୋକସଭା ଆସନରୁ ୬୦ଟି ଆସନରେ ବିଜୟୀ ହୋଇଥିଲା। ଏବେ ବିଧାନସଭା ନିର୍ବାଚନରେ ବିପର୍ଯ୍ୟୟ ଯୋଗୁଁ ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ପୂର୍ବ ସଫଳତାକୁ ଦୋହରାଇବା ଏତେ ସହଜ ହେବନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର