ଜାତୀୟ ନିରାପତ୍ତା ସହ ସାଲିସ୍‌ ହୋଇଛି: ରାଫେଲ୍‌ ବିବାଦ ନେଇ ପୁଣି ଗର୍ଜିଲା କଂଗ୍ରେସ

ଦେଶ ୪୧ ହଜାର କୋଟି କ୍ଷତି ସହିବ

ନୂଆଦିଲ୍ଲୀ: ଭାରତ-ଫ୍ରାନ୍ସ ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି ନେଇ ମୋଦୀ ସରକାରଙ୍କୁ ଆଜି ପୁଣି କଂଗ୍ରେସ ଟାର୍ଗେଟ୍‌ କରିଛି। ଏନ୍‌୍‌ଡିଏ ସରକାର ରାଫେଲ୍‌ ବିମାନର ମୂଲ୍ୟ ନେଇ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ଏବଂ ଏହି ମାମଲାରେ ଜାତୀୟ ନିରାପତ୍ତା ସହ ମଧ୍ୟ ସାଲିସ୍‌ କରାଯାଇଛି ବୋଲି କଂଗ୍ରେସ କହିଛି। ୟୁପିଏ ସରକାର ଅମଳରେ ଯେଉଁ ଶ୍ରେଣୀର ରାଫେଲ୍‌ ଯୁଦ୍ଧ ବିମାନ ପାଇଁ ଚୁକ୍ତି ହୋଇଥିଲା ସେହି ସମାନ ଧରଣର ଯୁଦ୍ଧ ବିମାନ କ୍ରୟ ପ୍ରକ୍ରିୟାକୁ ସରକାର ଦୋହରାଇଛନ୍ତି ବୋଲି ଦଳ କହିଛି। ଯୁଦ୍ଧ ବିମାନ ସହିତ ଯୁଦ୍ଧାସ୍ତ୍ର ସଂଯୋଗ ହୋଇଥିବା ନେଇ ଏନ୍‌୍‌ଡିଏ ସରକାର ମିଥ୍ୟା ପ୍ରଚାର କରୁଛନ୍ତି ଏବଂ ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଯେଓ୍ଵାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସମାନ ବର୍ଗର ବିମାନକୁ ଅଧିକ ମୂଲ୍ୟ ଦେଇ ସରକାର କିଣିବା ପଛର ଉଦ୍ଦେଶ୍ୟ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଏବେ ବାୟୁସେନା ପାଇଁ ୧୨୬ଟି ରାଫେଲ୍‌ ଯୁଦ୍ଧ ବିମାନ ଆବଶ୍ୟକ ଥିବା ବେଳେ ସରକାର ଏହାକୁ ୩୬ରେ କାହିଁକି ସୀମିତ ରଖିଛନ୍ତି ଏବଂ ଜ୍ଞାନକୌଶଳ ହସ୍ତାନ୍ତର ନେଇ ଚୁକ୍ତିରେ କାହିଁକି ଗୁରୁତ୍ୱ ଦିଆଯାଇନାହିଁ ବୋଲି ସୁର୍ଯେଓ୍ଵାଲା ପ୍ରଶ୍ନ କରିଛନ୍ତି। ସେ ଦାବି କରିଛନ୍ତି ଯେ ତତ୍କାଳ ବ୍ୟବହାରକ୍ଷମ ୧୩ଟି ରାଫେଲ ଆଣିବା ପାଇଁ ୟୁପିଏ ସରକାର ଯେଉଁ ଦର ନିର୍ଦ୍ଧାରଣ କରିଥିଲେ ସେହି ଦରରେ କ୍ରୟ ଚୁକ୍ତି ସଂପନ୍ନ ହୋଇଛି କି ନାହିଁ ତାହା ଜାଣିବା ଦେଶବାସୀଙ୍କ ଅଧିକାର। ଯଦି ପୂର୍ବ ସରକାର ଚୁକ୍ତି କରିଥିବା ରାଫେଲ୍‌ ବିମାନ ହିଁ ଏହି ସରକାର କ୍ରୟ କରିଛନ୍ତି ତା’ହେଲେ ଏହାର ବର୍ତ୍ତମାନର ମୂଲ୍ୟ କେତେ ତାହା ସ୍ପଷ୍ଟ ହେବା ଅତି ଜରୁରୀ ବୋଲି ସେ କହିଛନ୍ତି। ମୋଦୀ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଦେଶ ୪୧ ହଜାର କୋଟି ଟଙ୍କା କ୍ଷତି ସହିବାକୁ ଯାଉଛି ବୋଲି ମତଦେଇ ସୁର୍ଯେଓ୍ଵାଲା କହିଛନ୍ତି ଯେ ଏହା ବିରୋଧରେ ଦେଶବ୍ୟାପୀ ପ୍ରତିବାଦ ଆରମ୍ଭ ହୋଇଛି। ରାଫେଲ ନିର୍ମାଣ ଦାୟିତ୍ୱ ଫ୍ରାନ୍‌୍‌ସ କମ୍ପାନି ସହିତ ହିନ୍ଦୁସ୍ତାନ ଏରୋନଟିକ୍‌ସ ଲିମିଟେଡକୁ କାହିଁକି ଦିଆଯାଇନଥିଲା, ତାହା ମଧ୍ୟ ସରକାର ସ୍ପଷ୍ଟ କରିବା ଆବଶ୍ୟକ।

ଏକାଥରକେ ସମସ୍ତ ରାଫେଲ୍‌ ଭାରତକୁ ଯୋଗାଣ କରିବା ପାଇଁ ସରକାର ଗୁରୁତ୍ୱ ଦେଇନଥିବାରୁ ଫ୍ରାନ୍‌ସ ତା’ର ଇଚ୍ଛା ମୁତାବକ ରାଫେଲ ଯୋଗାଣ କରିବ ଏବଂ ଏଭଳି କରି ସରକାର ଦେଶର ସୁରକ୍ଷା ସହିତ ସାଲିସ୍‌ କରିଛନ୍ତି ବୋଲି କଂଗ୍ରେସ କହିଛ। ପ୍ରଥମ ପର୍ଯ୍ୟାୟରେ ୨୦୧୯ରେ ଫ୍ରାନ୍‌୍‌ସ ଭାରତକୁ ରାଫେଲ ଯୋଗାଇବ ଏବଂ ୨୦୨୨ ସୁଦ୍ଧା ଏହି ଯୋଗାଣ ପ୍ରକ୍ରିୟା ସଂପୂର୍ଣ୍ଣ ହେବ। ଯଦି ସରକାର ଏହାକୁ ଏତେ ଜରୁରୀ ଅନୁଭବ କରୁଥିଲେ ତା’ହେଲେ ରାଫେଲ ଚୁକ୍ତିକୁ ତ୍ୱରାନ୍ଵିତ କରିବା ପାଇଁ ମଧ୍ୟ ସମୁଚିତ ପଦକ୍ଷେପ ନେବା ଉଚିତ ଥିଲା ବୋଲି ସେ କଂଗ୍ରେସ କହିଛି।

ସମ୍ବନ୍ଧିତ ଖବର