କର୍ଣ୍ଣାଟକ କଂଗ୍ରେସରେ ପୁଣି ସଙ୍କଟ: ୪ ଅସନ୍ତୁଷ୍ଟ ବିଧାୟକ ବୈଠକକୁ ଆସିଲେ ନାହିଁ

୭୬ ବିଧାୟକଙ୍କୁ ରିସୋର୍ଟରେ ରଖାଗଲା

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ସରକାରକୁ ସଙ୍କଟମୁକ୍ତ କରିବା ପାଇଁ ଆଜି ଡକାଯାଇଥିବା କଂଗ୍ରେସ ବିଧାୟକ ଦଳ ବୈଠକ ସଫଳ ହୋଇନାହିଁ। ଏଥିରେ ୪ ଜଣ ଅସନ୍ତୁଷ୍ଟ ବିଧାୟକ ଯୋଗ ଦେଇନାହାନ୍ତି। ଦଳର କଡ଼ା ନିର୍ଦ୍ଦେଶ ସତ୍ତ୍ବେ ଏହି ବିଧାୟକମାନେ ବୈଠକକୁ ଆସିନାହାନ୍ତି। ଅନ୍ୟପକ୍ଷରେ ବୈଠକରେ ଉପସ୍ଥିତ ଥିବା ୭୬ ଜଣ ବିଧାୟକଙ୍କୁ ଏକଜୁଟ ରଖିବା ପାଇଁ ସେମାନଙ୍କୁ କିଛିଦିନ ପାଇଁ ବେଙ୍ଗାଲୁରୁର ଏକ ରିସୋର୍ଟରେ ରଖିବା ନିମନ୍ତେ ଦଳ ନିଷ୍ପତ୍ତି ନେଇଛି। ଆଜି ସନ୍ଧ୍ୟାରେ ସମସ୍ତ ବିଧାୟକଙ୍କୁ ଏକ ବିଳାସପୂର୍ଣ୍ଣ ରିସୋର୍ଟରେ ରଖାଯିବା ନିମନ୍ତେ ବସ୍‌ରେ ନିଆଯାଇଥିଲା। କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରାମେୟା କହିଛନ୍ତି ଯେ ବିଜେପିର ପ୍ରଲୋଭନରୁ ଆମ ବିଧାୟକଙ୍କୁ ଦୂରେଇ ରଖିବା ପାଇଁ ଦଳ ଏଭଳି ନିଷ୍ପତ୍ତି ନେଇଛି। ବିଧାୟକ ରମେଶ ଜାର୍‌କିହୋଲି, ବି. ନାଗେନ୍ଦ୍ର, ଉମେଶ ଯାଦବ ଏବଂ ମହେଶ କୁମାତାହାଲି ବୈଠକକୁ ଆସିନଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି ବୋଲି ସିଦ୍ଧରାମେୟା କହିଛନ୍ତି। ସେମାନଙ୍କ ଅନୁପସ୍ଥିତି ସରକାରଙ୍କ ପାଇଁ ଏବେ କୌଣସି ସଙ୍କଟ ସୃଷ୍ଟି କରିବ ନାହିଁ ବୋଲି ସେ କହିଛନ୍ତି। ଏହି ବିଧାୟକଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ନିଆଯିବା ପୂର୍ବରୁ ଏ ବାବଦରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଜେପି ‌ନିଜ ବିଧାୟକମାନଙ୍କୁ ଗୁରୁଗ୍ରାମର ଏକ ରିସୋର୍ଟରେ ରଖିଥିବା ବେଳେ ସେମାନେ ଖୁବ୍‌ଶୀଘ୍ର ଫେରି ଆସିବେ ବୋଲି ଜଣାପଡ଼ିଛି। ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଏହି ବିଧାୟକମାନଙ୍କୁ ରିସୋର୍ଟରେ ରଖାଯାଇଥିଲା ବୋଲି ବିଜେପି କହିଛି। ଅନ୍ୟପକ୍ଷରେ କଂଗ୍ରେସ ଏବେ ନିଜ ବିଧାୟକଙ୍କୁ ରିସୋର୍ଟରେ ରଖିବା ପରେ ମାମଲା ନୂଆ ମୋଡ଼ ନେଇଛି।

ସମ୍ବନ୍ଧିତ ଖବର