ନୂଆଦିଲ୍ଲୀ: ୟୁପିଏ ସରକାର ଅମଳରେ ହୋଇଥିବା ୨-ଜି ଦୁର୍ନୀତି ମାମଲାରେ ଗତକାଲି ସିବିଆଇ ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିବା ବେଳେ ଆଜି ଆଦର୍ଶ ହାଉସିଂ ସୋସାଇଟି ଦୁର୍ନୀତି ମାମଲାରେ ବମ୍ବେ ହାଇକୋର୍ଟଙ୍କ ରାୟ ମଧ୍ୟ କଂଗ୍ରେସ ପାଇଁ ଆଶ୍ୱସ୍ତିର କାରଣ ହୋଇଛି। ଆଦର୍ଶ ଦୁର୍ନୀତି ମାମଲାରେ ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ରାଜ୍ୟପାଳ ସି ବିଦ୍ୟାସାଗର ରାଓ ଦେଇଥିବା ମଂଜୁରି ଉପରେ ବମ୍ବେ ହାଇକୋର୍ଟ ଆଜି ରୋକ୍ ଲଗାଇଛନ୍ତି। ଚୌହାନଙ୍କ ରାଜନୈତିକ ଭବିଷ୍ୟତ ଦୃଷ୍ଟିରୁ ଆଜିର ଅଦାଲତ ରାୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟପାଳ ବିଦ୍ୟାସାଗର ରାଓ ୨୦୧୬ ଫେବ୍ରୁଆରିରେ ଆଦର୍ଶ ଦୁର୍ନୀତି ମାମଲାରେ ପୂର୍ବ ମୁଖ୍ୟମନ୍ତ୍ରୀ ଚୌହାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ମକଦ୍ଦମା ଚଳାଇବା ପାଇଁ ମଂଜୁରି ଦେଇଥିଲେ। ଆଜି ହାଇକୋର୍ଟ ଏ ବାବଦରେ ରାୟ ଦେଇ କହିଛନ୍ତି ଯେ ଆଦର୍ଶ ଦୁର୍ନୀତି ମାମଲାରେ ପୂର୍ବ ମୁଖ୍ୟମନ୍ତ୍ରୀ ଚୌହାନଙ୍କ ବିରୋଧରେ କୌଣସି ବିଶ୍ୱସନୀୟ ପ୍ରମାଣ ଉପସ୍ଥାପନ ନକରି ସିବିଆଇ ରାଜ୍ୟପାଳଙ୍କଠାରୁ ଏଭଳି ମଂଜୁରି ଆଣିଥିଲା। ପୂର୍ବରୁ ଯେଉଁ ଆଧାରରେ ଚୌହାନଙ୍କୁ ଏହି ମାମଲାରୁ ବାଦ ଦିଆଯାଇଥିଲା, ସେହି ସ୍ଥିତିରେ କିଛି ପରିବର୍ତ୍ତନ ହୋଇନଥିଲା। ପରବର୍ତ୍ତୀ ସମୟରେ ବଳିଷ୍ଠ ପ୍ରମାଣ ନଥାଇ ସିବିଆଇ ମାମଲା ଆଗକୁ ବଢ଼ାଇବାକୁ ଚାହିଥିଲା ଏବଂ ରାଜ୍ୟପାଳନଙ୍କ ଅନୁମୋଦନ ହାସଲ କରିଥିଲା। ଏଭଳି ସ୍ଥିତିରେ ରାଜ୍ୟପାଳ ଦେଇଥିବା ମଂଜୁରି କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଡିସେମ୍ବର ୨୦୧୩ରେ ତତ୍କାଳୀନ ରାଜ୍ୟପାଳ କେ. ଶଙ୍କରନାରାୟଣନ ଚୌହାନଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ସିବିଆଇର ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେତେବେଳେ ରାଜ୍ୟପାଳ ରାଜନୈତିକ କାରଣରୁ ଏଭଳି ପଦକ୍ଷେପ ନେଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ପରବର୍ତ୍ତୀ ସମୟରେ ସରକାର ବଦଳିବା ସହ ୨୦୧୬ରେ ରାଜ୍ୟପାଳ ବିଦ୍ୟାସାଗର ରାଓ ଚୌହାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ମାମଲା ଚଳାଇବା ପାଇଁ ସୁପାରିଶ କରିଥିଲେ।
ଆଜି କୋର୍ଟ ରାୟ ପ୍ରକାଶ ପାଇବା ପରେ ଚୌହାନ କହିଛନ୍ତି ଯେ ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ଏବଂ ଅଦାଲତ ତାଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଆଦର୍ଶ ହାଉସିଂ ସୋସାଇଟି ଦୁର୍ନୀତି ଭାରତର ଅନ୍ୟତମ ଚର୍ଚ୍ଚିତ ଦୁର୍ନୀତି ମଧ୍ୟରୁ ଅନ୍ୟତମ। ମୁମ୍ବାଇର କୋଲାବାରେ ମହାରାଷ୍ଟ୍ର ସରକାର ଆଦର୍ଶ ହାଉସିଂ ଯୋଜନାରେ ୩୧ ମହଲା ବିଶିଷ୍ଟ ଭବନ ନିର୍ମାଣ କରିଥିଲେ ଏବଂ ସହିଦ ସୈନିକଙ୍କ ପତ୍ନୀ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟର କର୍ମଚାରୀଙ୍କୁ ଏହି ଗୃହ ଆବଣ୍ଟନ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଏହାର ନିର୍ମାଣଠାରୁ ଆବଣ୍ଟନ ପର୍ଯ୍ୟନ୍ତ ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିଥିଲା। ଏହି ମାମଲାରେ ସିବିଆଇ ଆଜି ସୁଦ୍ଧା ୮ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।