ମୋଦୀ ସରକାରଙ୍କ ବିରୋଧରେ କଂଗ୍ରେସ କରିବ ଦେଶବ୍ୟାପୀ ଅଭିଯାନ

ନୂଆଦିଲ୍ଲୀ: ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି କଂଗ୍ରେସ ମୋଦୀ ସରକାରଙ୍କ ବିରୋଧରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବ। ବ୍ୟାଙ୍କ ଜାଲିଆତି, ରାଫେଲ ଚୁକ୍ତି ଭଳି ଘଟଣାକୁ ଅସ୍ତ୍ର କରି କଂଗ୍ରେସ ଏହି ଅଭିଯାନ କରିବ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ରାହୁଲଙ୍କ ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏ କେ ଆଣ୍ଟୋନି, ଗୁଲାମନବୀ ଆଜାଦ, ମଲ୍ଲାକାର୍ଜୁନ ଖଡ଼ଗେ, ଅହମ୍ମଦ ପଟେଲ ଏବଂ ଅଶୋକ ଗେହଲଟ୍‌ ପ୍ରମୁଖ ଯୋଗଦେଇଥିଲେ। କିନ୍ତୁ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୈଠକରେ ଯୋଗଦେଇ ନଥିଲେ। ବୈଠକ ପରେ ସୂଚନା ଦେଇ କଂଗ୍ରେସ ମୁଖ୍ୟ ପ୍ରବକ୍ତା ରଣଦୀପ ସୁର୍ଜେଓ୍ଵାଲା କହିଛନ୍ତି, ଦଳ ପକ୍ଷରୁ ଦେଶବ୍ୟାପୀ ଜନ ଆନ୍ଦୋଳନ କରାଯିବ। ରାଜ୍ୟ ଶାଖା ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ସହିତ ଆଲୋଚନା କରାଯାଇ ଏଥିପାଇଁ ଯୋଜନା ପ୍ରସ୍ତୁତ ହେବ। ମୋଦୀ ସରକାରଙ୍କ ସମୟରେ ହେଉଥିବା ଦୁର୍ନୀତି, ବ୍ୟାଙ୍କିଙ୍ଗ୍‌ ସ୍କାମ୍‌, ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି ଭଳି ପ୍ରସଙ୍ଗରେ ଏହି ଅଭିଯାନ କରାଯିବ। ସେହିଭଳି ଦେଶର ଆର୍ଥିକ ସ୍ଥିତି ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ସୁର୍ଜେଓ୍ଵାଲାଙ୍କ କହିବାନୁଯାୟୀ ରାଫେଲ୍‌ ଚୁକ୍ତିର ମୂଲ୍ୟ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଉ ନାହିଁ। ଉପା ସମୟରେ ବିମାନ ମୂଲ୍ୟ ୫୨୬ କୋଟି ଧାର୍ଯ୍ୟ ହୋଇଥିବା ବେଳେ ଏନ୍‌ଡିଏ ଅଧୀନରେ ଏହା ୧,୬୭୬ କୋଟି ଟଙ୍କା ହୋଇଛି। ଏହାଛଡ଼ା ଆସାମ ଏନ୍‌ଆର୍‌ସି ତାଲିକା ପ୍ରସ୍ତୁତିରେ ମଧ୍ୟ ଜାଲିଆତି କରାଯାଇଛି। ତେଣୁ ଏ ସବୁକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପୀ ଅଭିଯାନ କରିବ ବୋଲି ସୁର୍ଜେଓ୍ଵାଲା କହିଛନ୍ତି।

ସମ୍ବନ୍ଧିତ ଖବର