ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ଜାଣିବା ପରେ ମଧ୍ୟ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ ପ୍ରଧାନମନ୍ତ୍ରୀ ମୋଦି: କଂଗ୍ରେସ

ନୂଆଦିଲ୍ଲୀ:  ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ନେଇ ଆରମ୍ଭ ହୋଇଛି କାଦୁଅଫିଙ୍ଗା ରାଜନୀତି । ଏହି ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ଜାଣିବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡରେ ଡକ୍ୟୁମେଣ୍ଟାରି ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି । ଅପରାହ୍ନ ୩ଟା ୧୦ ମିନିଟରେ ପୁଲୱାମା ଠାରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାର ପ୍ରସାର ପାଇଁ ୬ଟା ୪୦ ମିନିଟ୍ ପର୍ଯ୍ୟନ୍ତ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଯ୍ୟେୱାଲା ।

ସୁଟିଂ ପରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡର ରାମନଗର ଗେଷ୍ଟ ହାଉସରେ କିଛି ସମୟ ରହିବା ପରେ ସେଠାରୁ ଚାଲିଯାଇଥିଲେ । ଗୋଟିଏ ପଟେ ପୁଲୱାମାରେ ବିସ୍ଫୋରଣ ପରେ ଯବାନମାନେ ଜୀବନ ବଞ୍ଚାଇବା ପାଇଁ ସଂର୍ଘଷ କରୁଥିବା ବେଳେ ଅନ୍ୟପଟେ ମୋଦି ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହେଉଥିଲା ଧନଗଢି ଅଞ୍ଚଳ । ଏପରିକି ଯେତେବେଳେ ୪୦ ଯବାନଙ୍କ ସହିଦ ହେବା ଖବର ଶୁଣି ପୂରା ଦେଶବାସୀ ଖାଇବା ପିଇବା ଭୁଲିଯାଇଥିଲେ ଠିକ୍ ସେହି ସମୟରେ ଗେଷ୍ଟ ହାଉସରେ ଚାହା ଓ ଖାଦ୍ୟର ମଜା ନେଉଥିଲେ ମୋଦି । ଏହା ହେଉଛି ଦେଶର ପ୍ରଧାନମନ୍ତ୍ରୀଙ୍କ ଅସଲ ଚେହେରା ବୋଲି କହିଛି କଂଗ୍ରେସ ।

ଏହାଛଡା ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ ହେବା ପରେ ମଧ୍ୟ କାହିଁକି ରାଷ୍ଟ୍ରୀୟ ଶୋକ ଘୋଷଣା କରାଗଲା ନାହିଁ ତାହା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି କଂଗ୍ରେସ । ସୁର୍ଯ୍ୟେୱାଲା କହିଛନ୍ତି, ଯବାନଙ୍କ ସହିଦ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ନାହିଁ କାରଣ ଏହାଦ୍ୱାରା ସରକାରୀ ଖର୍ଚ୍ଚରେ ହେବାକୁ ଥିବା ରାଜନୈତିକ ସଭା ବନ୍ଦ ହୋଇଯିବ । ଯେତେବେଳେ ସହିଦଙ୍କ ମରଶରୀର ବିମାନବନ୍ଦରରେ ଥିଲା ସେତେବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଝାନସୀ କାର୍ଯ୍ୟକ୍ରମରୁ ଗୋଟିଏ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ । ସେଠାରୁ ସିଧାସଳଖ ବିମାନବନ୍ଦର ନୁହେଁ ବରଂ ନିଜର ବାସଭବନକୁ ମୋଦି ଯାଇଥିଲେ ବୋଲି କହିଛି କଂଗ୍ରେସ ।

ମୋଦିଙ୍କୁ ଟାର୍ଗେଟ କରିବା ସହ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୫ଟି ପ୍ରଶ୍ନ ପଚାରିଛନ୍ତି ରଣଦୀପ ସିଂ ସୁର୍ଯ୍ୟେୱାଲା । ପ୍ରଧାନମନ୍ତ୍ରୀ ମୋଦି ନିଜର, ଜାତୀୟ ସୁରକ୍ଷା ପରାମର୍ଶଦାତା ଓ ଗୃହମନ୍ତ୍ରୀଙ୍କର ବିଫଳତାକୁ କାହିଁକି ସ୍ୱୀକାର କରୁନାହାନ୍ତି । ଏତେ ମାତ୍ରାରେ ଆରଡିଏକ୍ସ ଦେଶରେ ଆସିଲା କେଉଁଠୁ? ଆତଙ୍କବାଦୀ ଆକ୍ରମଣର ୪୮ ଘଣ୍ଟା ପୂର୍ବରୁ ଜାରି କରାଯାଇଥିବା ଭିଡିଓକୁ କିଭଳି ଅଣଦେଖା କରାଯାଇଥିଲା । ମୋଦି ସରକାର ଓ ଗୃହ ମନ୍ତ୍ରାଳୟ ସିଆରପିଏଫ ଯବାନଙ୍କୁ ବିମାନରେ ଯାତ୍ରା କରିବା ନିବେଦନକୁ କାହିଁକି ଖାରଜ କରିଥିଲେ । ଗତ ୫୬ ମାସ ମଧ୍ୟରେ ୪୮୮ ଯବାନ ସହିଦ ହେଲେଣି । ବିମୁଦ୍ରାକରଣ ପରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ କାହିଁକି ବନ୍ଦ ହେଉନାହିଁ । ଏଭଳି କିଛି ପ୍ରଶ୍ନ ପଚାରି ମୋଦି ସରକାରଙ୍କୁ କାଠଗଡାକୁ ଟାଣିଛି କଂଗ୍ରେସ ।

ସମ୍ବନ୍ଧିତ ଖବର