ମୋଦୀଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଲା କଂଗ୍ରେସ: ମେ ୨୩ରେ ମୋଦୀ ପେଟ୍ରୋଲ-ଡିଜେଲ ଦର ୫-୧୦ଟଙ୍କା ବଢ଼ାଇବାକୁ ପ୍ରସ୍ତୁତି କରି ସାରିଛନ୍ତି

ନୂଆଦିଲ୍ଲୀ : ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଛି କଂଗ୍ରେସ । ଟୁଇଟ୍‌ କରି ମୋଦୀ ଏକ ବଡ଼ ଘୋଷଣା ନ କରି ଜନତାଙ୍କଠାରୁ ଲୁଚାଇ ରଖିଛନ୍ତି ବୋଲି କଂଗ୍ରେସର ପ୍ରବକ୍ତା ରଣଦୀପ୍‌ ସିଂହ ସୁର୍‌ଜେଓ୍ଵାଲା ଆରୋପ ଲଗାଇଛନ୍ତି । ମେ ୨୩ ପରେ ପେଟ୍ରୋଲ-ଡିଜେଲ ଦର ୫-୧୦ଟଙ୍କା ବଢ଼ାଇବା ପାଇଁ ମୋଦୀ ନିଷ୍ପତ୍ତି ନେଇ ସାରିଛନ୍ତି ବୋଲି ନିଜ ଟୁଇଟ୍‌ରେ ଜଣାଇଛନ୍ତି ରଣଦୀପ୍‌ ।

କରାଯାଇଥିବା ଟୁଇଟ୍‌ରେ, ଭାରତରେ ମତଦାନ ଚାଲୁଥିବାରୁ ମୋଦୀ ଏ ପର୍ଯ୍ୟନ୍ତ ପେଟ୍ରେଲ-ଡିଜେଲ ଦର ବଢ଼ିବା ନେଇ କୌଣସି ଘୋଷଣା କରି ନାହାନ୍ତି । କିନ୍ତୁ ମେ ୨୩ରେ ଫଳାଫଳ ଘୋଷଣା ହେବା ପରେ ସେ  ଭାରତବାସୀଙ୍କୁ ବଡ଼ ଝଟକା ଦେବେ । ମେ ୨୩ ପରେ ପେଟ୍ରୋଲ-ଡିଜେଲ ଦର ୫-୧୦ଟଙ୍କା ପର୍ଯ୍ୟନ୍ତ ବଢ଼ିଯିବ, ଯାହା ପାଇଁ ଏବେଠାରୁ ନିଷ୍ପତ୍ତି ନିଆ ଯାଇ ସାରିଛି । କମ୍ପାନୀକୁ ଏବେ ଦର ବଢ଼ାଇବା ପାଇଁ ମୋଦୀ ମନା କରିଥିବା ବେଳେ ମେ ୨୩ତାରିଖ ସଂନ୍ଧ୍ୟା ସମୟରେ ହିଁ ଦରକୁ ବଢ଼ାଇ ଦିଆଯିବ । କିନ୍ତୁ ଜନତା ମୋଦୀଙ୍କ ଏହି ଜାଲରେ ଫସିବେ ନାହିଁ ବୋଲି ଲେଖିଥିଲେ ରଣଦୀପ୍‌ । ରଣଦୀପ୍‌ଙ୍କର ଏଭଳି ଟୁଇଟ୍‌କୁ କିଛି ଲୋକେ ଭୋଟ୍‌ ପାଇଁ ମିଥ୍ୟା ପ୍ରଚାର କରୁଥିବା କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର