ଭାଙ୍ଗିବ କଂଗ୍ରେସ-ଜେଏମଏମ ମେଣ୍ଟ ! ସୋନିଆଙ୍କ ଇଚ୍ଛା ବିରୋଧରେ ରାଜ୍ୟସଭା ପ୍ରାର୍ଥୀ ବାଛିଲେ ସୋରେନ

ନୂଆଦିଲ୍ଲୀ: ଭାଙ୍ଗିବ କି କଂଗ୍ରେସ- ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚ(ଜେଏମଏମ) ମେଣ୍ଟ। ଝାଡ଼ଖଣ୍ଡରେ ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ଜେଏମଏମ ମଧ୍ୟରେ ମତଭେଦ ଦେଖାଦେବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ନିକଟରେ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ସତ୍ତ୍ୱେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ ମନ ମୁତାବକ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି। ପିତା ଶିବୁ ସୋରେନଙ୍କ ଇଚ୍ଛା ଅନୁଯାୟୀ ସେ ମହୁଆ ମାଜିଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି। ସେ‌ାରେନଙ୍କ ଏହି ନିଷ୍ପତ୍ତି ପ‌ରେ ଏବେ କଂଗ୍ରେସକୁ ବଡ଼ ଧକ୍କା ଲାଗିଥିବା ଚର୍ଚ୍ଚା ହେଉଛି। ଦଳ କହିଛି ଯେ, ସୋନିଆ ଗାନ୍ଧୀଙ୍କ ସହ ହୋଇଥିବା ବାର୍ତ୍ତାଳାପ ପରେ ବି ସୋନିଆ ଗାନ୍ଧୀଙ୍କ କଥା ନମାନି ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ- ଜେଏମଏମ ମେଣ୍ଟର ଭବିଷ୍ୟତ କ’ଣ ହେବ? ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଝାଡଖଣ୍ଡ କଂଗ୍ରେସ ମୁଖ୍ୟ ରାଜେଶ ଠାକୁର କହିଛନ୍ତି ଯେ, ଏହା କେବଳ ଜେଏମଏମର ନିଷ୍ପତ୍ତି। ଆମେ ଏହାକୁ ପାର୍ଟି ହାଇ କମାଣ୍ଡକୁ ଜଣାଇଛୁ। ଆସନ୍ତାକାଲି ଆମର ଝାଡ଼ଖଣ୍ଡର ପ୍ରଭାରୀ ଆସିବେ ଏବଂ ତା’ପରେ ଆମେ ଆଗକୁ କ’ଣ କରିବୁ, ସେ ବିଷୟରେ ଜଣାଇବୁ। ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷାଙ୍କ ସହ ଆଲୋଚନା ସତ୍ତ୍ବେ ହେମନ୍ତ ସୋରେନ ଏକପାଖିଆ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ସରକାରୀ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ପିତା ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କ ସହ ଆଲୋଚନା କରିବା ପରେ ସେ ମାଜିଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ  ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର