ଧାମିଙ୍କୁ ହରାଇବାକୁ କଂଗ୍ରେସ ରଚିଲା ଚକ୍ରବ୍ୟୁହ! ଏହି ମହିଳାଙ୍କୁ ଦେଲା ଟିକେଟ

ଡେରାଡୁନ: ଉତ୍ତରାଖଣ୍ଡର ଚମ୍ପାୱତ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବିରୋଧରେ ଲଢ଼ିବାକୁ କଂଗ୍ରେସ ନିର୍ମଳା ଗହଟୋରିଙ୍କୁ ପ୍ରାର୍ଥୀ କରିଛି। ଉତ୍ତରାଖଣ୍ଡର ଚମ୍ପାୱତ ଆସନରେ ମତଦାନ ମେ ୩୧ରେ ହେବାକୁ ଥିବାବେଳେ ୩ ଜୁନ୍ ରେ ଭୋଟ୍ ଗଣତି ହେବ | ସୂଚନା ମୁତାବକ ଚମ୍ପାୱତ ଆସନରେ ପ୍ରଥମ ଥର ପାଇଁ ଉପ-ନିର୍ବାଚନ ହେବ। ବାସ୍ତବରେ, ନିକଟରେ ଅନୁଷ୍ଠିତ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​କୈଳାସ ଗହଟୋରି ଚମ୍ପାୱତ ଆସନରୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ | ଆଉ ଏପ୍ରିଲ ୨୧ରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସନ ଛାଡିବାକୁ ପ୍ରସ୍ତାବ ଦେଇ ଇସ୍ତଫା ଦେଇଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଆସନରୁ ବିଜେପି ଟିକେଟ୍ ରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି |

ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡରେ ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ବହୁମତରେ ଜିତିବା ସତ୍ତ୍ୱେ ଧାମି କଂଗ୍ରେସ ପ୍ରାର୍ଥୀ ଭୁୱାନ ଚନ୍ଦ୍ର କପ୍ରିଙ୍କ ନିକଟରୁ ଖତିମା ବିଧାନସଭା ଆସନରୁ ହାରି ଯାଇଥିଲେ। ତଥାପି, ବିଜେପି ନେତୃତ୍ୱ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମିଙ୍କୁ ମନୋନୀତ କରିଥିଲେ। କିନ୍ତୁ ବିଧାୟକ ଭାବେ ନିର୍ବାଚିତ ହେବା ଏବେ ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି |

ତେବେ ଏହି ଉପନିର୍ବାଚନକୁ କିଭଳି ଜିତିହେବ ସେ ନେଇ କଂଗ୍ରେସ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି | କଂଗ୍ରେସ ସହ ଆମ ଆଦମୀ ପାର୍ଟି ମଧ୍ୟ ଏହି ଆସନ ପାଇଁ ପ୍ରାର୍ଥୀଙ୍କୁ ଓହ୍ଲାଇଛି | ଏହାପୂର୍ବରୁ ୨୦୧୨ ରେ କଂଗ୍ରେସ ଏହି ଆସନ ଜିତିଥିଲା, ହେମେଶ ଖାର୍କୱାଲ କଂଗ୍ରେସ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର