ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ଟିକେଟ ନ ପାଇବାରୁ କ୍ଷୁବ୍ଧ ହୋଇ ବିଜେପିରୁ କଂଗ୍ରେସକୁ ଆସିଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କୁ ଦଳ ଉପହାର ଦେଇଛି। କର୍ଣ୍ଣାଟକ ବିଧାନପରିଷଦ ଉପ-ନିର୍ବାଚନ ପାଇଁ କଂଗ୍ରେସ ଜଗଦୀଶ ଶେଟ୍ଟାର, ଟିପନ୍ନାପ୍ପା କାମକନୁର ଏବଂ ଏନଏସ ବୋସେରାଜୁଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି | ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଜଗଦୀଶ ଶେଟ୍ଟାର, ଟିପନାପ୍ପା କାମକନୁର ଏବଂ ଏନଏସ ବୋସେରାଜୁଙ୍କ ପ୍ରାର୍ଥୀପତ୍ର ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି | ଉଲ୍ଲେଖ ଥାଉ କି ଯେ କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଜଗଦୀଶ ଶେଟ୍ଟାର ନିର୍ବାଚନରେ ​​ହାରି ଯାଇଥିଲେ।

Advertisment

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଟିକେଟ୍‌ ନ ପାଇବାରୁ ‘ଅପମାନ’ ବୋଧ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର୍‌ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସ ଟିକେଟରେ ହୁବଲି-ଧରୱାଡରୁ ନିର୍ବାଚନ ଲଢ଼ିଥିଲେ | ତେବେ ଜଗଦୀଶଙ୍କୁ ଶକ୍ତ ଝଟକା ଲାଗିଥିଲା | ସେ ବଡ ବ୍ୟବଧାନରେ ବିଜେପିର ପ୍ରାର୍ଥୀ ମହେଶ ଟେଙ୍ଗିନକଇଙ୍କ ଠାରୁ ପରାସ୍ତ ହୋଇଥିଲେ। ଉଲ୍ଲେଖ ଥାଉ କି ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ୨୨୪ଟି ଆସନ ମଧ୍ୟରୁ ୧୩୫ଟିରେ ଜିତିଥିବାବେଳେ ବିଜେପି ମାତ୍ର ୬୬ଟି ଆସନ ଜିତିଥିଲା।

ଅନ୍ୟପକ୍ଷରେ, କୁମାରସ୍ୱାମୀଙ୍କ ଜେଡିଏସ୍ ୧୯ଟି ସିଟ୍ ପାଇଥିଲା । କର୍ଣ୍ଣାଟକ ବିଧାନ ପରିଷଦର ତିନୋଟି ସିଟ୍ ପାଇଁ ଜୁନ୍ ୩୦ରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ବାସ୍ତବରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବାବୁରାଓ ଚିଞ୍ଚନସୁର, ଆର ଶଙ୍କର ଏବଂ ଲକ୍ଷ୍ମଣ ସାବଦି ଇସ୍ତଫା ଦେଇଥିବାରୁ ଏହି ଆସନଗୁଡିକ ଖାଲି ହୋଇଯାଇଥିଲା । ତେବେ ଏଥିମଧ୍ୟରୁ କେବଳ ଲକ୍ଷ୍ମଣ ସାବଦି ନିର୍ବାଚନରେ ​​ଜିତିଥିଲେ ଏବଂ ଅନ୍ୟ ଦୁଇ ନେତା ପରାସ୍ତ ହୋଇଥିଲେ।