ରାଜ୍ୟସଭାରେ କଂଗ୍ରେସ ଦଳର ଉପନେତା ଭାବେ ପ୍ରମୋଦ ତିଓ୍ଵାରୀ ଓ ସଚେତକ ଭାବେ ରଜନୀ ପାଟିଲଙ୍କୁ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ: ପ୍ରମୋଦ ତିଓ୍ଵାରୀଙ୍କୁ ରାଜ୍ୟସଭାରେ ଦଳର ଉପନେତା ଭାବେ ନିଯୁକ୍ତ କରିବାକୁ କଂଗ୍ରେସ ଶନିବାର ଅନୁମୋଦନ କରିଛି। ଆନନ୍ଦ ଶର୍ମାଙ୍କ ପରେ ଖାଲି ପଡ଼ିଥିବା ଏହି ପଦବୀକୁ ଏବେ ସେ ନିଜ ହାତକୁ ନେବେ।
ସେହିପରି ରାଜ୍ୟସଭାରେ ରଜନୀ ପାଟିଲଙ୍କୁ ଦଳର ସଚେତକ ଭାବେ ନିଯୁକ୍ତ କରିବାକୁ ମଧ୍ୟ ଦଳ ଅନୁମୋଦନ କରିଛି।

ସୂତ୍ରରୁ ପ୍ରକାଶ ଯେ ଆନନ୍ଦ ଶର୍ମାଙ୍କ ଅବସର ଏବଂ ରାଜୀବ ସାତବଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ କଂଗ୍ରେସ ଅଧ୍ୟକ୍ଷ ଏହି ନିଯୁକ୍ତି ଦେଇଥିଲେ। କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ନିଯୁକ୍ତି ସମ୍ପର୍କରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।

ରାଜ୍ୟସଭାରେ କଂଗ୍ରେସର ବିରୋଧୀ ଦଳ ନେତା ହେଉଛନ୍ତି ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ମୁଖ୍ୟ ସଚେତକ ହେଉଛନ୍ତି ଜୟରାମ ରମେଶ।

ଏଆଇସିସିର ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟ୍‌ କରି ଲେଖିଛନ୍ତି, କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପ୍ରମୋଦ ତିଓ୍ଵାରୀଙ୍କୁ ଉପନେତା ଏବଂ ରଜନୀ ପାଟିଲଙ୍କୁ ରାଜ୍ୟସଭାରେ କଂଗ୍ରେସ ଦଳର ସଚେତକ ଭାବେ ନିଯୁକ୍ତ କରିବାକୁ ଅନୁମୋଦନ କରିଛନ୍ତି। ଏହି ନିଯୁକ୍ତି ସମ୍ପର୍କରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି।

ରଜନୀ ପାଟିଲ ହେଉଛନ୍ତି କଂଗ୍ରେସ ସାଂସଦ, ଯାହାଙ୍କୁ ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ନିଲମ୍ବିତ କରିଥିଲେ।

ସମ୍ବନ୍ଧିତ ଖବର