ଚୀନରୁ ଚାନ୍ଦା ପ୍ରସଙ୍ଗରେ ବିଜେପିକୁ ପାଲଟା ପ୍ରଶ୍ନ କଲା କଂଗ୍ରେସ

ନୂଆଦିଲ୍ଲୀ: ରାଜୀବ ଗାନ୍ଧି ଫାଉଣ୍ଡେସନ (ଆର୍‌ଜିଏଫ୍‌) ଚୀନଠାରୁ ଚାନ୍ଦା ଗ୍ରହଣ କରିବା ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ବିଜେପି କଂଗ୍ରେସକୁ ପୂର୍ବରୁ ଘେରିଥିବାବେଳେ ଏବେ କଂଗ୍ରେସ ବିଜେପିକୁ ପାଲଟା ଆକ୍ରମଣ କରିଛି। ବିଜେପି ଓ ଚୀନ ମଧ୍ୟରେ ସଂପର୍କ ରହିଛି ବୋଲି ଦର୍ଶାଇ ବିଜେପି ସଭାପତି ଜେ ପି ନଡ୍ଡା କଂଗ୍ରେସକୁ ୧୦ଟି ପ୍ରଶ୍ନ ପଚାରିଥିଲେ। ତେବେ ଏହାପରେ କଂଗ୍ରେସ ବିଜେପିକୁ ୧୦ଟି ପ୍ରଶ୍ନ ପଚାରିଛି। ଜାତୀୟ ନିରାପତ୍ତା ଏବଂ ଦେଶର ଭୌଗୋଳିକ ଅଖଣ୍ଡତା ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ବିଜେପି ଏଭଳି ପ୍ରଶ୍ନ କରୁଛି ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି। ୨୦୦୫-୦୬ରେ ଚୀନ ଦୂତାବାସଠାରୁ କଂଗ୍ରେସ ଚାନ୍ଦା ଗ୍ରହଣ କରିଥିବା ନେଇ ହୋଇଥିବା ଅଭିଯୋଗ ସଂପର୍କରେ ସୂର୍ଯ୍ୟେୱାଲା ପାଲଟା ଅଭିଯୋଗ ଆଣିଛନ୍ତି। ବିଜେପି ବିଦେଶୀ ପାଣ୍ଠି ଗ୍ରହଣ କରୁଛି ବୋଲି ସେ କହିଛନ୍ତି। ଚୀନ ସହିତ ବିଜେପିର ଥିବା ଗଭୀର ସମ୍ପର୍କ ପଦାରେ ପଡ଼ିଯିବାକୁ ନେଇ ଦଳ ଏବେ ଆତଙ୍କିତ ହୋଇପଡ଼ିଛି।

ଚାଇନା ଆସୋସିଏସନ ଫର ଇଣ୍ଟରନ୍ୟାସନାଲ ଫ୍ରେଣ୍ଡ୍‌ଲି କଣ୍ଟାକ୍ଟ (ସିଏଆଇଏଫସି) ସହିତ କଂଗ୍ରେସର ସମ୍ପର୍କ ନେଇ ବିଜେପି ଯେଉଁ ଅଭିଯୋଗ ଆଣିଛି ତାହାର ପ୍ରମାଣ ଦେବାକୁ ଶ୍ରୀ ସୂର୍ଯ୍ୟେୱାଲା ଦାବି କରିଛନ୍ତି। ସୂର୍ଯ୍ୟେୱାଲା ପଚାରିଥିବା ୧୦ଟି ପ୍ରଶ୍ନ ମଧ୍ୟରେ ୨୦୦୯ ଜାନୁଆରି ସିସିପିର ନିମନ୍ତ୍ରଣକ୍ରମେ ଆରଏସଏସ କାହିଁକି ଚୀନ୍ ଯାଇଥିଲା? ଆରଏସଏସ ଏକ ରାଜନୈତିକ ଦଳ ହୋଇ ନଥିଲେ ମଧ୍ୟ ଏହାକୁ ସିସିପି ସହ ଆଲୋଚନା ପାଇଁ କାହିଁକି ଡକାଯାଇଥିଲା? ଅରୁଣାଚଳ ପ୍ରଦେଶ ଏବଂ ତିବ୍ଦତ ପ୍ରସଙ୍ଗରେ କଣ ଆଲୋଚନା ହୋଇଥିଲା? ସିସିପିର ନିମନ୍ତ୍ରଣ‌କ୍ରମେ ତତ୍କାଳୀନ ବିଜେପି ସଭାପତି ୨୦୧୧ ଜାନୁଆରି ୧୯ରେ କାହିଁକି ୫ ଦିନିଆ ଚୀନ ଗସ୍ତରେ ଯାଇଥିଲେ? ସେହିଭଳି ତତ୍କାଳୀନ ବିଜେପି ସଭାପତି ଅମିତ ଶାହ ୨୦୧୪ ନଭେମ୍ବରରେ କାହିଁକି ଚୀନକୁ ଏକ ଏମପି ଓ ଏମଏଲଏମାନଙ୍କ ପ୍ରତିନିଧି ମଣ୍ଡଳୀ ସିସିପି ଦଳ ସମ୍ପର୍କରେ ଅନୁଧ୍ୟାନ କରିବାକୁ କାହିଁକି ପଠାଇଥିଲେ? ଆରଜିଏଫ ଭଳି ବିଜେପି ବିବେକାନନ୍ଦ ଫାଉଣ୍ଡେସନ ଏବଂ ଇଣ୍ଡିଆ ଫାଉଣ୍ଡେସନ ଭଳି ସଂସ୍ଥାକୁ ସେମାନଙ୍କ ଅନ୍ତର୍ଜାତୀୟ ଚାନ୍ଦାପ୍ରଦାନକାରୀଙ୍କ ତଥ୍ୟ ପ୍ରଦାନ ପାଇଁ ବିଜେପି କହିବ କି? ଭଳି ପ୍ରଶ୍ନ ପଚାରିଛନ୍ତି।

ସମ୍ବନ୍ଧିତ ଖବର