ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ତିନି ମୂର୍ତ୍ତି ଭବନ ପରିସରରେ ଥିବା ନେହେରୁ ମେମୋରିଆଲ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ ସୋସାଇଟି (ଏନ୍ଏମ୍ଏମ୍ଏଲ୍)ର ନାମ ପରିବର୍ତ୍ତନ କରି ଭାରତ ସରକାର 'ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପାଠାଗାର ସୋସାଇଟି' ରଖିଛନ୍ତି। ସରକାରଙ୍କ ଏହି ପଦକ୍ଷେପ କୁ ନେଇ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଛି । କଂଗ୍ରେସ ଏହି ପଦକ୍ଷେପକୁ ତୀବ୍ର ସମାଲୋଚନା କରିଥିବା ବେଳେ ବିଜେପି ଏହାର ଜବାବ ଦେଇଛି ।
ତିନି ମୂର୍ତ୍ତି ଭବନ ଥିଲା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନ । ସଂସ୍କୃତି ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ ଏନଏମଏମଏଲର ଏକ ସ୍ୱତନ୍ତ୍ର ବୈଠକରେ ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୋସାଇଟିର ଉପାଧ୍ୟକ୍ଷ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୈଠକରେ ଅଧ୍ୟକ୍ଷତା କରିଥିଲେ।
Classic example of political indigestion- the inability to accept a simple fact that there are leaders beyond one dynasty who have served and built our nation. PM Sangrahalaya is an effort beyond politics and Congress lacks the vision to realise this. https://t.co/jmyNzJPB9a
— Jagat Prakash Nadda (@JPNadda) June 16, 2023
ନେହେରୁ ମେମୋରିଆଲ ମ୍ୟୁଜିୟମର ନାମ ପରିବର୍ତ୍ତନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଟ୍ୱିଟ୍ କରି କହିଛନ୍ତି, "ଯେଉଁମାନଙ୍କର କୌଣସି ଇତିହାସ ନାହିଁ ସେମାନେ ଅନ୍ୟମାନଙ୍କ ଇତିହାସକୁ ଲୋପ କରିବାକୁ ଯାଉଛନ୍ତି। ନେହେରୁ ମେମୋରିଆଲ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀର ନାମ ପରିବର୍ତ୍ତନ ପାଇଁ ଯେଉଁ ଘୃଣ୍ୟ ପ୍ରୟାସ କରାଯାଉଛି, ତାହା ଆଧୁନିକ ଭାରତର ସ୍ଥାପକ ତଥା ଗଣତନ୍ତ୍ରର ନିର୍ଭୀକ ପର୍ଯ୍ୟବେକ୍ଷକ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବ୍ୟକ୍ତିତ୍ବକୁ କ୍ଷୁଣ୍ଣ କରିପାରିବ ନାହିଁ। ଏହା କେବଳ ବିଜେପି-ଆରଏସଏସର କ୍ଷୁଦ୍ର ମାନସିକତା ଏବଂ ଏକଛତ୍ରବାଦୀ ମନୋଭାବକୁ ଦର୍ଶାଉଛି।
ବିଜେପିର ଜବାବ
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସର ଏହି ବୟାନଉପରେ ପ୍ରତିକ୍ରିୟା ରଖିଛନ୍ତି। ନଡ୍ଡା ଟ୍ୱିଟ୍ କରି କହିଛନ୍ତି, ରାଜନୈତିକ ବଦହଜମୀର ଏହା ଏକ ବଡ଼ ଉଦାହରଣ । ସେମାନେ ଗୋଟିଏ ସାଧାରଣ କଥାକୁ ହଜମ କରିପାରୁନାହାନ୍ତି ଯେ ଗୋଟିଏ ବଂଶ ବାହାରେ ମଧ୍ୟ ଏପରି ଆହୁରି ନେତା ଅଛନ୍ତି ଯେଉଁମାନେ ଆମ ଦେଶର ସେବା ଏବଂ ନିର୍ମାଣ କରିଛନ୍ତି। ଅନ୍ୟ ଏକ ଟ୍ୱିଟ୍ ରେ ବିଜେପି ଅଧ୍ୟକ୍ଷ କହିଛନ୍ତି, କଂଗ୍ରେସର ଏକମାତ୍ର ଅବଦାନ ହେଉଛି ପୂର୍ବର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଐତିହ୍ୟକୁ ଲୋପ କରିବା, ଯାହା ଦ୍ୱାରା କେବଳ ଗୋଟିଏ ପରିବାରର ପରମ୍ପରା ବଞ୍ଚିବ।