ଗୋଆ : ନିଜ ବିଧାୟକ ପ୍ରାର୍ଥୀମାନଙ୍କୁ ହୋଟେଲରେ କାହିଁକି ରଖୁଛି କଂଗ୍ରେସ ? କାରଣ ଜାଣନ୍ତୁ

ପାନାଜୀ : ସୋମବାର ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶିତ ବୁଥ ବାହୁ଼ଡା ମତ ବା ଏକଜିଟ୍ ପୋଲ ରିପୋର୍ଟରେ ଗୋଆରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବନି ବୋଲି ଦର୍ଶାଯାଇଛି । ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ବହୁମତ ପାଇଁ ୨୧ଟି ଆସନ ଆବଶ୍ୟକ ପଡ଼ୁଥିବାବେଳେ କୌଣସି ଦଳ ଏହି ସଂଖ୍ୟା ଛୁଇଁ ପାରିବେ ନାହିଁ ବୋଲି ଏକଜିଟ୍ ପୋଲ କହିଛି । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଆଗୁଆ ସତର୍କ ହୋଇଯାଇଛି । ୨୦୧୭ର ଭୁଲ ଯେପରି ଏଥର ନ ହୁଏ, ସେଥିପାଇଁ ଦଳ ସତର୍କ ହେବା ସହ ଏକ ଯୋଜନା ପ୍ରସ୍ତୁତ କରିଛି ।

ଗଣତି ଦିନ ପ୍ରାର୍ଥୀମାନେ ଗଣତି କେନ୍ଦ୍ରକୁ ନ ଯାଇ ନିଜର ପ୍ରତିନିଧିଙ୍କୁ ପଠାଇବାକୁ କୁହାଯାଇଛି । କଂଗ୍ରେସ ପକ୍ଷରୁ ନିଜ ପ୍ରାର୍ଥୀମାନଙ୍କୁ ଏକ ହୋଟେଲରେ ରହିବାକୁ ବ୍ୟବସ୍ଥା କରାଯାଇଛି । ସ୍ଥିତିର ପରିଚାଳନା ପାଇଁ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ. ଶିବକୁମାରଙ୍କୁ ଗୋଆ ପଠାଯାଇଛି । ୨୦୧୮ରେ ରାଜସ୍ଥାନରେ ସରକାର ଗଠନ କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଗୋଆରେ କଂଗ୍ରେସ ନିଶ୍ଚିତଭାବେ ସରକାର ଗଠନ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ଓ କଂଗ୍ରେସର ଗୋଆ ପ୍ରଭାରୀ ଦିନେଶ ଗୁଣ୍ଡୁ ରାଓ ଗତ ରବିବାରଠାରୁ ଗୋଆରେ ହିଁ ଅଛନ୍ତି ।

୨୦୧୭ରେ, ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ୧୭ଟି ଓ ବିଜେପି ୧୩ଟି ଆସନ ପାଇଥିଲା । କିନ୍ତୁ ବିଜେପିର ଚତୁର ଗୋଟିଚାଳନା ଫଳରେ କଂଗ୍ରେସ ସରକାର ଗଠନ କରିପାରନଥିଲା । ଏଣୁ ଏଥର ସେହି ଭୁଲ ଦୋହରାଇବାକୁ ଚାହୁଁନାହିଁ ।

ସମ୍ବନ୍ଧିତ ଖବର