ନୂଆଦିଲ୍ଲୀ: ଦେଶର ସର୍ବପ୍ରଥମ ରାଜନୈତିକ ଦଳ ଭାବେ ଜାତୀୟ କଂଗ୍ରେସ ଜଣେ କିନ୍ନରଙ୍କୁ ଏହାର ଜାତୀୟ ସ୍ତରର କାର୍ଯ୍ୟକର୍ତ୍ତା ଭାବେ ନିଯୁକ୍ତି ପ୍ରଦାନ କରିଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି, ୧୩୩ ବର୍ଷର ପୁରୁଣା ଏହି ରାଜନୈତିକ ଦଳ କଂଗ୍ରେସ ଗତ ମଙ୍ଗଳବାର ଦିନ ଅପସରା ରେଡ୍ଡୀ ନାମକ ଜନୈକା କିନ୍ନରଙ୍କୁ ଏହାର ସର୍ବ ଭାରତୀୟ ମହିଳା ସଂଗଠନର ସାଧାରଣ ସଂପାଦିକା ଭାବେ ନିଯୁକ୍ତି ପ୍ରଦାନ କରିଛି।

Advertisment

publive-image

ଜଣେ ସାମ୍ବାଦିକା ଏବଂ ସାମାଜିକ କର୍ମୀ ଭାବେ ଯଥେଷ୍ଟ ସୁନାମ ଅର୍ଜନ କରିଥିବା କିନ୍ନର ଅପସରା ରେଡ୍ଡୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତ ମଙ୍ଗଳବାର ଦିନ ଅଖିଳ ଭାରତୀୟ ମହିଳା କଂଗ୍ରେସର ସାଧାରଣ ସଂପାଦିକା ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ସାଧାରଣ ସଂପାଦିକା ଭାବେ ଅପସରା ରେଡ୍ଡୀଙ୍କ ନିଯୁକ୍ତିକୁ ସ୍ୱାଗତ କରି ଅଖିଳ ଭାରତୀୟ ମହିଳା କଂଗ୍ରେସର ସଭାନେତ୍ରୀ ତଥା ଲୋକସଭାର ସାଂସଦ ସୁସ୍ମିତା ଦେବ କହିଛନ୍ତି ଯେ ଦକ୍ଷତା ସଂପନ୍ନ ଏବଂ ଉଚ୍ଚ ବ୍ୟକ୍ତିତ୍ୱର ଅଧିକାରିଣୀ ଥିବା ଅପସରାଙ୍କ ନିଯୁକ୍ତି ଦଳକୁ ଆହୁରି ଶକ୍ତିଶାଳୀ ଓ ଲୋକାଭିମୁଖୀ କରାଇବ। ଅନ୍ୟପକ୍ଷରେ ଏହି ନିଯୁକ୍ତି ପାଇବା ପରେ ରାହୁଲ ଗାନ୍ଧୀ ଓ ସୁସ୍ମିତା ଦେବଙ୍କୁ ଧନ୍ୟବାଦ ଜଣାଇବା ସହ ଦଳକୁ ଆହୁରି ଆଗକୁ ଆଗେଇ ନେବା ପାଇଁ ମନପ୍ରାଣ ଦେଇ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧିିମାନଙ୍କୁ କହିଛନ୍ତି।