ମହାରାଷ୍ଟ୍ରର ପ୍ରସ୍ତାବିତ ଶିବସେନା- ଏନ୍‌ସିପି- କଂଗ୍ରେସ ମିଳିତ ସରକାର ନେଇ ଛିଡ଼ିଲା ଭାଗବଣ୍ଟା; ଜାଣନ୍ତୁ କାହା ଭାଗରେ କେତେ ମନ୍ତ୍ରୀପଦ

ମୁମ୍ବାଇ/ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ନୂତନ ସରକାର ଶିବସେନା- ଏନ୍‌ସିପି- କଂଗ୍ରେସ ମିଳିତ ଭାବେ ଗଠନ କରିବେ ବୋଲି ଆଜି ଅପରାହ୍ଣରେ ଘୋଷଣା କରିଛନ୍ତି। ଏଥିସହ ରାଜ୍ୟରେ ନୂତନ ସରକାର ଗଠନ ନେଇ ଶିବସେନା- ଏନ୍‌ସିପି- କଂଗ୍ରେସ ମଧ୍ୟରେ ସବୁ ଆଳୋଚନା ଓ ସବୁ ଭାଗବଣ୍ଟା ଚୂଡ଼ାନ୍ତ ହୋଇ ଯାଇଛି। ଚୂଡ଼ାନ୍ତ ହୋଇଥିବା ଭାଗବଣ୍ଟା ଅନୁଯାୟୀ ନୂତନ ମଳିତ ସରକାରରେ ଶିବସେନାର ୫୬, ଏନ୍‌ସିପିର ୫୪ ଓ କଂଗ୍ରେସର ୪୪ ଜଣ ବିଧାୟକ ଅଛନ୍ତି। ସେଥିପାଇଁ ନୂତନ ସରକାରରେ ଶିବସେନା ଓ ଏନ୍‌ସିପିର ୧୪ ଜଣ ଲେଖାଏଁ ମନ୍ତ୍ରୀ ରହିବେ ଓ କଂଗ୍ରେସକୁ ମିଳିବ ୧୧ମନ୍ତ୍ରୀପଦ।
ସେହିପରି, ନୂତନ ସରକାର‌େର ଶିବସେନା ଓ ଏନ୍‌ସିପି ପାଳିକରି ୨.୫ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ତେବେ, ପ୍ରଥମ ପାଳିରେ କିଏ ଶବସେନା ନା ଏନ୍‌ସିପି ମୁଖ୍ୟମନ୍ତ୍ରୀ ଆସନରେ ବସିବ, ତାହା ଚୂଡ଼ାନ୍ତ ହୋଇନାହିଁ। ତେବେ, କଂଗ୍ରେସ ନୂତନ ସରକାରରେ ୫ ବର୍ଷ ପାଇଁ ଉପ-ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବ। ସେହିପରି ଶବସେନା କିମ୍ବା ଏନ୍‌ସିପି କିଏ ବାଚସ୍ପତି ପଦ ସମ୍ଭାଳିବ ତାହା ଚୂଡ଼ାନ୍ତ ହୋଇନାହିଁ।

ତେବେ, ଆସନ୍ତା ୨୩ ତାରିଖ ଦିନ ରାଜ୍ୟରେ ନୂତନ ସରକାର ଗଠନ ନିମନ୍ତେ ଶିବସେନା- ଏନ୍‌ସିପି- କଂଗ୍ରେସର ସମସ୍ତ ୧୭୦ ନିର୍ବାଚିତ ବିଧାୟକମାନଙ୍କର ସ୍ବାକ୍ଷର ସମ୍ବଳିତ ଏକ ଦାବୀପତ୍ର ରାଜ୍ୟପାଳ ଭଗତ ସିଂହ କୋଶୀୟାରୀଙ୍କୁ ପ୍ରଦାନ କରାଯିବ ଏବଂ ଆସନ୍ତା ୨୪ କିମ୍ବା ୨୫ ତାରିଖରେ ନୂତନ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର