ଗୁଜରାଟ ନିର୍ବାଚନ: କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର

ଅହମଦାବାଦ୍‌,: ଡିସେମ୍ବର ୯ରେ ଗୁଜରାଟ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ ଏଥର ନିର୍ବାଚନ କର ବା ମର ପରିସ୍ଥିତି ସୃଷ୍ଟି କରି। ରାଜ୍ୟରେ ଦୀର୍ଘ ୨୨ ବର୍ଷ ଧରି ଲଗାତାର ଶାସନରେ ଥିବା ବିଜେପି ଲାଗି ଚ୍ୟାଲେଞ୍ଜ ବଢ଼ିଯାଇଛି। ଲୋକନୀତି-ସିଏସଡିଏସର ଜନମତ ସର୍ଭେର ସଦ୍ୟ ରିପୋର୍ଟ ପ୍ରକାଶ ହେବାପରେ ବିଜେପିର ଚିନ୍ତା ବଢ଼ିଯାଇଛି। ଆକଳନରୁ ଜଣାଯାଇଛି ଯେ ଉଭୟ ବିଜେପି ଏବଂ କଂଗ୍ରେସ ସମାନ ଭାବେ ୪୩ ପ୍ରତିଶତ ଭୋଟ୍‌ ପାଇବେ। ତେବେ ୧୮୨ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବିଜେପି ୯୧ରୁ ୯୯ଟି ଆସନରେ ଜିତିବ ଏବଂ କଂଗ୍ରେସ ୭୮ରୁ ୮୬ ଟି ଆସନ ହାତେଇ ପାରିବ। ବିଜେପିର ଆସନ ସଂଖ୍ୟା କମିବା ଏବଂ କଂଗ୍ରେସର ଆସନ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାକୁ ଯାଉଥିବା ରିପୋର୍ଟରେ କୁହାଯାଇଛି। ଗତ ଅଗଷ୍ଟ ମାସରେ ପ୍ରକାଶ ହୋଇଥିବା ଲୋକନୀତିର ପୂର୍ବ ଆକଳନରେ ବିଜେପି ୧୫୦ଟି ଆସନରେ ଜିତିବ ଏବଂ କଂଗ୍ରେସ ମାତ୍ର ୩୦ ଆସନ ଭିତରେ ସୀମିତ ରହିବ ବୋଲି ଏହା ଦର୍ଶାଇଥିଲା।

ତେବେ ସଦ୍ୟ ରିପୋର୍ଟରେ ସ୍ଥିତି ବଦଳି ଯାଇଛି। ଚଳିତଥରର ଆକଳନରେ କଂଗ୍ରେସ ପ୍ରତି ଆଶାତୀତ ସମର୍ଥନ ବୃଦ୍ଧି ହୋଇଥିବା ଜଣାଯାଇଛି। ୨୦୧୨ ବିଧାନସଭା ନିର୍ବାଚନରେ ବିଜେପି ୧୧୫ ଆସନ ଅକ୍ତିଆର କରିଥିବା ବେଳେ କଂଗ୍ରେସକୁ ୬୧ଟି ଆସନ ମିଳିଥିଲା। ଲୋକନୀତି-ସିଏସଡିଏସ ଜନମତ ସର୍ଭେ ଅନୁଯାୟୀ ବିମୁଦ୍ରାକରଣ ଏବଂ ଜିଏସଟି ପାଇଁ ଲୋକଙ୍କର ବିଜେପି ସରକାର ପ୍ରତି ଅସନ୍ତୋଷ ବୃଦ୍ଧି ହୋଇଛି ଏବଂ କୃଷକ ଶ୍ରେଣୀ ମଧ୍ୟ ବିଜେପି ସରକାର ପ୍ରତି ଅସନ୍ତୋଷ ମନୋଭାବ ପୋଷଣ କରିବାଦ୍ୱାରା ରାଜ୍ୟରେ କଂଗ୍ରେସ ପ୍ରତି ସମର୍ଥନ ବଢ଼ିଛି। ଆକଳନ ଅନୁଯାୟୀ ଉତ୍ତର ଏବଂ ଦକ୍ଷିଣ ଗୁଜରାଟରେ କଂଗ୍ରେସର ନେତୃତ୍ୱ ରହିଛି ଏବଂ ସୌରାଷ୍ଟ୍ର ଓ କେନ୍ଦ୍ରୀୟ ଅଂଶରେ ବିଜେପି ଆଗରେ ରହିଛି। ସହରାଞ୍ଚଳରେ ବିଜେପି ପ୍ରତି ଅଧିକ ସମର୍ଥନ ରହିଥିବା ବେଳେ ଗ୍ରାମାଞ୍ଚଳରେ କଂଗ୍ରେସ ଆଗରେ ରହିଛି। ୧୮ରୁ ୨୯ ବର୍ଷ ବୟସ ମଧ୍ୟରେ ଥିବା ଯୁବ ଭୋଟରମାନେ ବିଜେପିକୁ ପସନ୍ଦ କରିଛନ୍ତି ଏବଂ ୩୦-୩୯ ଏବଂ ୪୦-୫୯ ବର୍ଷ ବୟସର ବ୍ୟକ୍ତି କଂଗ୍ରେସକୁ ଅଧିକ ସଂଖ୍ୟାରେ ସମର୍ଥନ କରୁଛନ୍ତି।

ସମ୍ବନ୍ଧିତ ଖବର