ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧି ଏବଂ ଅଧୀର ରଂଜନ ଚୌଧୁରୀ ଯୋଗଦେବେ ନାହିଁ ବୋଲି ମନା କରିବା ପରେ ଏହାକୁ ନେଇ ଗତ କିଛିଦିନ ହେଲା କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍ଯୁଦ୍ଧ ଚାଲିଛି। ଏବେ ସୋମନାଥ ମନ୍ଦିରକୁ ମଧ୍ୟ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ନଯିବା ଏବଂ ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କୁ ନଯିବା ପାଇଁ ଚିଠି ଲେଖିବା ପ୍ରସଙ୍ଗକୁ ନେଇ ଦୁଇ ଦଳ ମଧ୍ୟରେ ରାଜନୀତି ଆରମ୍ଭ ହୋଇଛି।
ବିଜେପି ନେତା ସୁଧାଂଶୁ ତ୍ରିବେଦୀ ଦାବି କରିଛନ୍ତି ଯେ ନେହରୁ ଚାହୁ ନଥିଲେ ପ୍ରସାଦ ୧୯୫୧ ମସିହାରେ ସୋମନାଥ ମନ୍ଦିର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦିଅନ୍ତୁ। ତେବେ କଂଗ୍ରେସ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ବିଜେପି ନେତା ସୁଧାଂଶୁ ତ୍ରିବେଦୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ କଂଗ୍ରେସ ଖଣ୍ଡନ କରିଛି। କଂଗ୍ରେସ ନେତା ଜୟରାମ ରମେଶ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ବିଜେପି ନେତା ସୁଧାଂଶୁ ତ୍ରିବେଦୀ ନେହରୁଙ୍କ କିଛି ଚିଠି ସାଧାରଣରେ ପ୍ରକାଶ କରିଛନ୍ତି। ଏହି ଚିଠି ସମେତ ତତ୍କାଳୀନ ଗୃହମନ୍ତ୍ରୀ ରାଜାଜୀ ଏବଂ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ନିକଟକୁ ନେହରୁ ଲେଖିଥିବା ଚିଠି ସାର୍ବଜନୀନ ରହିଛି। ନେହରୁସିଲେକ୍ଟେଡୱାର୍କସ ଡଟ୍ କମ୍ରେ ମଧ୍ୟ ଏହା ଉପଲବ୍ଧ ହେଉଛି। ତ୍ରିବେଦୀ ଯେଉଁ ଦାବି କରୁଛନ୍ତି ସେଥିରେ ବଡ଼ କଥା କିଛି ନାହିଁ। ନେହରୁ ସଂପୂର୍ଣ୍ଣ ସ୍ବଚ୍ଛ ଥିଲେ ଏବଂ ବ୍ୟକ୍ତିଗତ ଭାବେ ଲିଖିତ ରେକର୍ଡ ଛାଡ଼ି ଯାଇଛନ୍ତି। ତ୍ରିବେଦୀ ଯାହା ଦର୍ଶାଇନାହାନ୍ତି ସେଥିରୁ କିଛି ଏଠାରେ ଉଲ୍ଲେଖ କରାଯାଇଛି କହି ରମେଶ କେତୋଟି ଚିଠି ପୋଷ୍ଟ୍ କରିଛନ୍ତି।
ତ୍ରିବେଦୀ ଅଭିଯୋଗ କରିଥିଲେ ଯେ ସୋମନାଥ ମନ୍ଦିରର ପୁନଃନିର୍ମାଣ ପରେ ଏହାର ଉଦ୍ଘାଟନରେ ରାଜେନ୍ଦ୍ର ପ୍ରସାଦ ଏବଂ ଅନ୍ୟ କେତେକ କଂଗ୍ରେସ ନେତା ସାମିଲ ହୁଅନ୍ତୁ ବୋଲି ନେହରୁ ଚାହୁ ନଥିଲେ। କଂଗ୍ରେସର ୩ ନେତା ରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବାକୁ ମନା କରିବା ପରେ ଏଭଳି ବିବୃତି ତ୍ରିବେଦୀ ଦେଇଥିଲେ। ବିଜେପି ରାମ ମନ୍ଦିର ଅଭିଷେକ ସମାରୋହକୁ ନିର୍ବାଚନୀ ଫାଇଦା ପାଇଁ ଏକ ରାଜନୈତିକ ପ୍ରକଳ୍ପ ଭାବେ କଂଗ୍ରେସ ଅଭିହିତ କରିଛି।
କଂଗ୍ରେସ ଦ୍ବାରା ପୋଷ୍ଟ କରାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ୧୯୫୧ ମସିହା ମାର୍ଚ୍ଚ ୧୧ ତାରିଖରେ ନେହରୁ ତତ୍କାଳୀନ ଗୃହମନ୍ତ୍ରୀ ସି ରାଜଗୋପାଳଚାରୀଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ନେହରୁ ଲେଖିଥିଲେ ଯେ ଏହି ମନ୍ଦିର ହେଉ କିମ୍ବା ଅନ୍ୟ କୌଣସି ମନ୍ଦିର ଏବଂ ଅନ୍ୟ କୌଣସି ଉପାସନା ସ୍ଥଳୀକୁ ସାଧାରଣତଃ ସେ ଯିବାରେ ତାଙ୍କର କୌଣସି ଆପତ୍ତି ନାହିଁ।
ଏହି ନିର୍ଦ୍ଦିଷ୍ଟ ଉତ୍ସବରେ ମନ୍ଦିର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବାର ନିର୍ଦ୍ଦିଷ୍ଟ ଗୁରୁତ୍ବ ଏବଂ ପ୍ରଭାବ ରହିଛି। ତେଣୁ ସେ ଏହି କାର୍ଯ୍ୟକ୍ରମରେ ଜଡ଼ିତ ନରହିବାକୁ ମୁଁ ପସନ୍ଦ କରିଥାନ୍ତି। ସେହିଭଳି ରାଷ୍ଟ୍ରପତି ଉକ୍ତ କାର୍ଯ୍ୟକ୍ରମରେ ଜଡ଼ିତ ରହିବାକୁ ବ୍ୟଗ୍ର ଅଛନ୍ତି। ସେ ସେଠାକୁ ଯିବା ଉଚିତ ନୁହେଁ ବୋଲି ମୁ ଜିଦ୍ ଧରିବା ଠିକ୍ ହେବ କି ନାହିଁ ଜାଣିନି। ତେଣୁ ରାଷ୍ଟ୍ରପତି ଏହି ପ୍ରସଙ୍ଗରେ ତାଙ୍କ ନିଜସ୍ବ ନିଷ୍ପତ୍ତି ନେଇପାରିବେ ବୋଲି ପ୍ରସ୍ତାବ ଦେଉଛି। ତେବେ ମୁଁ ଭାବୁଛି ସେ ସେଠାକୁ ନଗଲେ ଭଲ ବୋଲି ନେହରୁ ତାଙ୍କ ଚିଠିରେ ଲେଖିଛନ୍ତି। ୧୯୫୧ ମସିହା ମାର୍ଚ୍ଚ ୧୩ରେ ନେହରୁ ରାଷ୍ଟ୍ରପତି ପ୍ରସାଦଙ୍କୁ ମଧ୍ୟ ସୋମନାଥ ମନ୍ଦିର ଗସ୍ତ ପ୍ରସଙ୍ଗରେ ଚିଠି ଲେଖି ଜଣାଇଥିଲେ ଆପଣ ଯଦି ଭାବୁଛନ୍ତି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ଠିକ୍ ହେବନାହିଁ ତାହେଲେ ମୁଁ ଆପଣଙ୍କୁ ଏ ନେଇ ଅଧିକ ଚାପ ପକାଇବା ଉଚିତ ନୁହେଁ। ନେହରୁ ପୁଣି ରାଷ୍ଟ୍ରପତିଙ୍କୁ ଲେଖିଥିଲେ ଆପଣଙ୍କ ସୋମନାଥ ମନ୍ଦିର ଗସ୍ତ କେତେକ ରାଜନୈତିକ ଗୁରୁତ୍ବ ରଖୁଛି। ଏଥିସହିତ ସେ କହିଥିଲେ ସଂସଦରେ ତାଙ୍କୁ ଏ ସଂପର୍କରେ ପ୍ରଶ୍ନ କରାଯାଉଛି। ଏହାର ଉତ୍ତରରେ ସେ କହିଛନ୍ତି ସରକାରଙ୍କର ଏ ପ୍ରସଙ୍ଗରେ କିଛି କରିବାର ନାହିଁ।