କଂଗ୍ରେସ-ବିଜେପି ମୁହାଁମୁହିଁ, ରାଫେଲ ଯୁଦ୍ଧ ବିମାନ ପ୍ରସଙ୍ଗ

୧୨ ଦିନର କମ୍ପାନିକୁ ଠିକା କାହା ସ୍ୱାର୍ଥରେ: କଂଗ୍ରେସ
ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ନେଇ କଂଗ୍ରେସ ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। କଂଗ୍ରେସ କହିଛି ଯେ ଶିଳ୍ପପତି ଅନୀଲ ଅମ୍ବାନିଙ୍କ ସହିତ ସଲାସୁତରାରେ ରାଫେଲ କ୍ରୟ ନେଇ ଦୁର୍ନୀତି ହୋଇଛି। ବିଜେପି ଗୋଟିଏ ମିଛକୁ ଲୁଚାଇବା ପାଇଁ ଶହେ ମିଛ କହୁଛି। ଅନୀଲ ଅମ୍ବାନିଙ୍କ ରିଲାଏନ୍‌୍‌ସ ଡିଫେନ୍‌୍‌ସକୁ ରାଫେଲ ଠିକା ମିଳିବାର ମାତ୍ର ୧୨ ଦିନ ପୂର୍ବରୁ ଏହି କମ୍ପାନି ଗଠନ ହୋଇଥିଲା। ତେଣୁ କେଉଁ ସ୍ୱାର୍ଥରେ ଏହି ଠିକା ପ୍ରଦାନ କରାଯାଇଛି ତାହା ଦେଶବାସୀଙ୍କୁ ସ୍ପଷ୍ଟ କରିବା ଆବଶ୍ୟକ ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଯେଓ୍ଵାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ରିଲାଏନ୍‌୍‌ସ୍‌ ଡିଫେନ୍‌ସ ଲିମିଟେଡର ଗଠନ ରାଫେଲ ଚୁକ୍ତିର ଠିକ୍‌ ୧୨ ଦିନ ପୂର୍ବରୁ ୨୮ ମାର୍ଚ ୨୦୧୫ରେ ହୋଇଥିଲା। ସେତେବେଳେ ରିଲାଏନ୍‌୍‌ସ ନିକଟରେ ଯୁଦ୍ଧ ବିମାନ ତିଆରି ପାଇଁ ଲାଇସେନ୍‌୍‌ସ ନଥିଲା। ଏହି ଉଦ୍ୟୋଗପତିଙ୍କୁ ଫାଇଦା ଦେବାପାଇଁ ମୋଦି ସରକାର ଏହି ଚୁକ୍ତି ସଂପନ୍ନ କରିଥିଲେ ବୋଲି ସୁର୍ଯେଓ୍ଵାଲା କହିଛନ୍ତି। ରାଫେଲ ଚୁକ୍ତି କେବଳ ଦୁଇ ଦେଶ ମଧ୍ୟରେ ସଂପନ୍ନ ହୋଇଛି ଏବଂ ଏଥିରେ ତୃତୀୟ ପକ୍ଷର ସଂପୃକ୍ତି ନାହିଁ ବୋଲି ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମିଥ୍ୟା ବୟାନ ଦେଇଛନ୍ତି ବୋଲି କଂଗ୍ରେସ କହିଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡକୁ ଠିକା କାହିଁକି ମିଳିଲା ନାହିଁ ବୋଲି ଦଳ ପ୍ରଶ୍ନ କରିଛି।

ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛି କଂଗ୍ରେସ: ବିଜେପି

ନୂଆଦିଲ୍ଲୀ: ରାଫେଲ ଚୁକ୍ତି ମାମଲାରେ କଂଗ୍ରେସ ଲଗାତାର ଦେଶବାସୀଙ୍କୁ ବିଭ୍ରାନ୍ତ କରି ରାଜନୈତିକ ଫାଇଦା ନେବାକୁ ଚାହୁଁଛି। ୟୁପିଏ ସରକାର ଅମଳରେ ହୋଇଥିବା ପୁରୁଣା ପିଢ଼ିର ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ଏନ୍‌୍‌ଡିଏ ସରକାର ସଂପୂର୍ଣ୍ଣ ବାତିଲ କରି ନୂଆ ଚୁକ୍ତି ସଂପାଦନ କରିଛନ୍ତି। ସର୍ବାଧୁନିକ ପର୍ଯ୍ୟାୟର ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତିରେ ଶତ ପ୍ରତିଶତ ସ୍ୱଚ୍ଛତା ରହିଥିବା ବେଳେ ଉଭୟ ରାଷ୍ଟ୍ର ସଂପୂର୍ଣ୍ଣ ନିଷ୍ଠାର ସହ ଏହି ଚୁକ୍ତି ସଂପାଦନ କରିଛନ୍ତି। ତେବେ ଦେଶର ସାମରିକ ଶକ୍ତି ବୃଦ୍ଧି ଘଟାଇବା ଏବଂ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ଦେଶକୁ ସ୍ୱାବଲମ୍ବୀ କରିବା ପାଇଁ କେବେ ବି ଉଦ୍ୟମ କରିନଥିବା କଂଗ୍ରେସ ଏବେ ରାଫେଲ ଚୁକ୍ତି ନେଇ ଦେଶବାସୀଙ୍କୁ ଭିତ୍ତିହୀନ ଓ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରୁଛି ବୋଲି ବିଜେପି କହିଛି। କଂଗ୍ରେସର ଅଭିଯୋଗକୁ ଏନ୍‌ଡିଏ ସରକାର ସଂପୂର୍ଣ୍ଣ ଭୁଲ୍‌ ପ୍ରମାଣିତ କରିଛନ୍ତି ଏବଂ ଫ୍ରାନ୍‌ସ ସରକାର ମଧ୍ୟ ରାଫେଲ ଚୁକ୍ତି ନେଇ ତାଙ୍କ ନୀତି ସ୍ପଷ୍ଟ କରିଥିବାରୁ କଂଗ୍ରେସ ସଂପୂର୍ଣ୍ଣ ପଦାରେ ପଡ଼ିଯାଇଛି ବୋଲି ବିଜେପି ପ୍ରବକ୍ତା ସୁଧାଂଶୁ ତ୍ରିବେଦୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ରାହୁଲ ଗାନ୍ଧୀ ସଂକୀର୍ଣ୍ଣ ରାଜନୀତିରେ ପରିଚାଳିତ ହେଉଛନ୍ତି ଏବଂ ତାଙ୍କର ଆଭିମୁଖ୍ୟ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର