କଂଗ୍ରେସ-ବିଜେପି ସୋସିଆଲ ମିଡିଆ ଯୁଦ୍ଧ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଶାସକ କଂଗ୍ରେସ ଓ ବିଜେପି ମଧ୍ୟରେ ଖାଲି ମଗ୍ ଥିବା ଏକ ବିଜ୍ଞାପନକୁ ନେଇ ସୋସିଆଲ ମିଡିଆ ଯୁଦ୍ଧ ଆରମ୍ଭ ହୋଇଛି। କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏକ ବିଜ୍ଞାପନରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ରାଜ୍ୟ ସରକାରକୁ କେବଳ ‘ଖାଲି ମଗ୍‌’ ବ୍ୟତୀତ ଆଉ କିଛି ଦେଇନାହିଁ ବୋଲି ଦର୍ଶାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଜନସଭାରେ ଜେଡିଏସ୍‌ ମୁଖ୍ୟ ଏଚ୍‌ଡି ଦେବଗୌଡ଼ା ଏହି ବିଜ୍ଞାପନ ଛପାଯାଇଥିବା ଖବରକାଗଜ ଧରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମାଇକ୍ରୋ ବ୍ଲଗିଂ ସାଇଟରେ ଏହି ଫଟୋ ସେୟାର କରି ଏନ୍‌ଡିଏ ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଥିଲେ। ରାଜ୍ୟବାସୀ କେନ୍ଦ୍ରଠାରୁ କୌଣସି ଆର୍ଥିକ ନ୍ୟାୟ ପାଉନାହାନ୍ତି ଏବଂ କେବଳ ଫମ୍ପା ପାତ୍ର ହିଁ ମିଳୁଛି ବୋଲି ସେମାନେ କହିଛନ୍ତି। ତେବେ ବିଜେପି ମଧ୍ୟ ଏହାର କଡ଼ା ଜବାବ ରଖିଛି। ୨୦୧୩ରେ ସିଦ୍ଦରମୈୟା ‘ଖାଲି ମଗ୍‌’ ଧରିଥିବା ଏବଂ ୨୦୨୩ରେ ବିନା ମଗ୍‌ରେ ଶୌଚାଳୟ ଯାଉଥିବା ନେଇ ସମ୍ପାଦିତ ଫଟୋ ବିଜେପି ପୋଷ୍ଟ୍‌ କରିଛି।

ସୂଚନାଯୋଗ୍ୟ, ସିଦ୍ଦରମୈୟା ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ କର୍ଣ୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ପରେ ୨୦୨୩ରେ ବିଜେପିକୁ ପରାସ୍ତ କରି କ୍ଷମତାକୁ ଫେରିଥିଲେ। ଏବେ ସୋସିଆଲ ମିଡିଆ ଲଢ଼େଇ ସହିତ କଂଗ୍ରେସ ଗତକାଲି ବେଙ୍ଗାଲୁରୁରେ ଖାଲି ମଗ୍ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲା। କଂଗ୍ରେସ ସାଂସଦ ତଥା ଦଳର ସାଧାରଣ ସମ୍ପାଦକ ରଣଦୀପ ସୁର୍ଜେୱାଲା ଏହି ବିକ୍ଷୋଭର ଫଟୋ ସେୟାର କରିବା ସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର କର୍ଣ୍ଣାଟକବାସୀଙ୍କୁ ଚରମ ଉପେକ୍ଷା କରୁଥିବା କହିଛନ୍ତି। ଏହାର ଜବାବରେ ବିଜେପି କହିଛି ଯେ ଲୋକସଭା ନିର୍ବାଚନର ପରିଣାମ ସହିତ କଂଗ୍ରେସର ମୁଖା ଖୋଲିଯିବ। ଏବେ କଂଗ୍ରେସର ଆଉ କୌଣସି ବିଭ୍ରାନ୍ତି କାମ ଦେଉନାହିଁ ବୋଲି ରାଜ୍ୟ ବିଜେପି ମୁଖ୍ୟ ବିଜୟେନ୍ଦ୍ର କହିଛନ୍ତି।

ସମ୍ବନ୍ଧିତ ଖବର