ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭିଏତନାମ୍ ଗସ୍ତକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି। କଂଗ୍ରେସ ସାଂସଦ ନୂଆବର୍ଷ ପାଳନ ପାଇଁ ଭିଏତନାମ୍ ଯାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାଇଁ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ହେଉଛି। ଏଭଳି ସମୟରେ ରାହୁଲଙ୍କ ବିଦେଶ ଗସ୍ତକୁ ବିଜେପି ସମାଲୋଚନା କରିଛି।
ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ରାହୁଲ ଗାନ୍ଧୀଙ୍କ ସଂପର୍କରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଗାନ୍ଧୀ ପରିବାର ଓ କଂଗ୍ରେସ ଶିଖ୍ମାନଙ୍କୁ ଘୃଣା କରନ୍ତି। ଦରବାର ସାହିବକୁ ଅପବିତ୍ରୀକରଣ ଘଟଣାକୁ ସେମାନେ କଦାପି ଭୁଲି ପାରିନାହାନ୍ତି। ବିଜେପି ପ୍ରବକ୍ତା ଶେହଜାଦ ପୁନାୱାଲା ମଧ୍ୟ ରାହୁଲଙ୍କ ବିଦେଶ ଗସ୍ତକୁ ସମାଲୋଚନା କରିଛନ୍ତି। ରାହୁଲଙ୍କ ଏଲଓପି (ବିରୋଧୀ ଦଳ ନେତା) ପଦକୁ ପର୍ଯ୍ୟଟନ ପାଟିର ନେତା କହିଛନ୍ତି। ସାରା ଦେଶ ମନମୋହନଙ୍କ ପାଇଁ ଶୋକବ୍ୟକ୍ତ କରୁଥିବାବେଳେ ରାହୁଲ ବିଦେଶ ଗସ୍ତରେ ଯିବା ଗଣମାଧ୍ୟମରୁ ସୂଚନା ମିଳିଛି। ମୁମ୍ବାଇରେ ୨୬/୧୧ ଆକ୍ରମଣ ସମୟରେ ରାହୁଲ ରାତି ସାରା ପାର୍ଟି କରୁଥିଲେ। ମନମୋହନ ସିଂହଙ୍କ ମୃତ୍ୟୁକୁ ନେଇ ସେ ଆଦୌଁ ବ୍ୟଥିତ ନୁହନ୍ତି ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୨୬ ତାରିଖରେ ମନମୋହନ ସିଂହଙ୍କର ମୃତ୍ୟୁ ହେବା ପରେ ସରକାର ସପ୍ତାହେ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯିବା ସହିତ ମନୋରଞ୍ଜନ କାର୍ଯ୍ୟଗୁଡ଼ିକୁ ବାତିଲ କରାଯାଇଛି। ତେବେ କଂଗ୍ରେସ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଗସ୍ତରେ ବିଦେଶ ଯାଇଛନ୍ତି। ଜଣଙ୍କର ବ୍ୟକ୍ତିଗତ ଗୋପନୀୟତାକୁ ନେଇ କାହାରି କୌଣସି ସମସ୍ୟା ରହିବା ଉଚିତ ନୁହେଁ। ଉତ୍ଥାପିତ ହୋଇଥିବା ମୁଖ୍ୟ ପ୍ରସଙ୍ଗରୁ ସଂଘ ପରିବାର ଏଡ଼ାଇ ଯିବା ନୀତି କେବେ ବନ୍ଦ କରିବ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଯମୁନା ନଦୀ କୂଳରେ ମନମୋହନଙ୍କ ଶେଷକୃତ୍ୟ ପାଇଁ ଜାଗା ନଦେବା ଘଟଣାକୁ ଲଜ୍ଜାଜନକ ବୋଲି କଂଗ୍ରେସ ସାଂସଦ ମଣିକମ୍ ଟାଗୋର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/HBAFgtGLiao7aEQGFmSY.jpg)