ନୂଆଦିଲ୍ଲୀ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ କଥା କହିଥିବାରୁ କଂଗ୍ରେସ ପକ୍ଷରୁ ତାହାର ନିନ୍ଦା କରାଯାଇଛି । ଭାରତ ସରକାର ଏହାର ଦୃଢ ଜବାବ ଦିଅନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ।

Advertisment

ସେ କହିଛନ୍ତି ଯେ, ମୋଦୀଙ୍କ ସହ ତାଙ୍କ ଦଳର ଆଦର୍ଶଗତ ମତଭେଦ ରହିଥାପାରେ, ସେ କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ । ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏପରି କଥା କୁହାଯିବ ଗ୍ରହଣୀୟ ନୁହେଁ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅତ୍ୟଧିକ ଆପତ୍ତିଜନକ ମନ୍ତବ୍ୟରେ ଭୁଟ୍ଟୋ କହିଥିଲେ, "ଓସାମା ବିନ୍ ଲାଡେନ୍ ମରିଯାଇଛି, କିନ୍ତୁ ଗୁଜୁରାଟର କଂସେଇ ଏବେବି ଜୀବିତ ଅଛି ।

ଏହି ବୟାନକୁ ଅତି କଠୋର ଭାଷାରେ ଭାରତ ପକ୍ଷରୁ ନିନ୍ଦା କରାଯାଇଥିଲା । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଯେ ପାକିସ୍ତାନର ମାନଦଣ୍ଡ ଦୃଷ୍ଟିରୁ ବି ଏହା ଅତ୍ୟନ୍ତ କଦର୍ଯ୍ୟ କଥା । ଭାରତର ବିଜୟ ଦିବସକୁ ମନେ ପକାଇ ସେ କହିଥିଲେ ଯେ ୧୯୭୧ର ଇତିହାସକୁ ପାକିସ୍ତାନ ଭୁଲିଯାଇଛି, ଯାହା ଥିଲା ସଂଖ୍ୟାଲଘୁଙ୍କ ଉପରେ ପାକିସ୍ତାନର ଗଣସଂହାରର ଫଳ । କିନ୍ତୁ ଏଥିରୁ ପାକିସ୍ତାନ କିଛି ଶିକ୍ଷା କରିଥିବା ମନେହେଉନାହିଁ ଓ ସଂଖ୍ୟାଲଘୁଙ୍କ ପ୍ରତି ପାକିସ୍ତାନର ମନୋଭାବରେ କୌଣସି ପରିବର୍ତ୍ତନ ଆସିନାହିଁ ।