ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଶେଷ ହେବା ପରେ ଆଜି ଭୋଟ ଗଣତି ଆରମ୍ଭ ହୋଇଛି। ଏନଡିଏ ଆଗରେ ରହିଥିଲେ ବି ଏଥର ଏନଡିଏର ବିଜୟ ଯାତ୍ରାରେ କଣ୍ଟା ସାଜିଛି ଇଣ୍ଡିଆ ମେଣ୍ଟ। ଲୋକସଭାରେ ମୋଟ ୫୪୩ ଆସନ ଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୨୭୨। କିଏ କ୍ଷମତା ଦଖଲ କରିବ ତାହା ଭୋଟ ଗଣତି ପରେ ଜଣାପଡ଼ିବ। ତେବେ ୟୁପି, ମହାରାଷ୍ଟ୍ରରେ ବିଜେପି ପଛରେ ପଡ଼ିଥିବା ବେଳେ କର୍ଣ୍ଣାଟକରେ ବିଜେପିର ବହୁ ଚର୍ଚ୍ଚିତ ପ୍ରାର୍ଥୀ ପ୍ରଜ୍ବଳ ରେବନ୍ନା ପଛରେ ପଡ଼ିଛନ୍ତି। ଯୌନ ଶୋଷଣ ମାମଲାର ଫସି ପ୍ରଜ୍ବଳ ରେବନ୍ନା ଏବେ ପୁଲିସ କଷ୍ଟଡିରେ ଥିବା ବେଳେ ତାଙ୍କୁ ପଛରେ ପକାଇଛନ୍ତି କଂଗ୍ରେସର ଶ୍ରେୟସ ପଟେଲ।
ସର୍ବଶେଷ ଗଣନା ଅନୁଯାୟୀ ଶ୍ରେୟସଙ୍କୁ ୬,୬୧,୫୯୯ ଭୋଟ୍ ମିଳିଛି। ଏହା ସହ ପ୍ରଜ୍ବଳ ରେବନ୍ନା ୬,୨୧,୦୩୧ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟର ପାର୍ଥକ୍ୟ ୪୦ହଜାରରୁ ଅଧିକ ରହିଛି।
ଉଲ୍ଲେଖଯୋଗ୍ୟ, ନିଜ ଘରର ଚାକରାଣୀଙ୍କୁ ଦୁଷ୍କର୍ମ ଓ ଧମକ ଦେବା ମାମଲାର ଅଭିଯୁକ୍ତ ତଥା ଜେଡିଏସ୍ ସାଂସଦ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଳ ରେବନ୍ନାଙ୍କୁ ଗିରଫ କରିଥିଲା ଏସଆଇଟି। ୩୫ ଦିନ ପରେ ସେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏସଆଇଟି ତାଙ୍କୁ ଗିରଫ କରିଥିଲା। ପ୍ରଜ୍ବଳ ରେବନ୍ନା ୩୧ ତାରିଖ ୧୨ଟା ୪୬ ମିନିଟ ସମୟରେ ବିମାନରୁ ଅବତରଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା।