ସବୁ ନିର୍ବାଚନରେ ଆପଣ ମୁହଁ ଦେଖାଉଛନ୍ତି, ରାବଣ ଭଳି ୧୦୦ଟି ମୁଣ୍ଡ ଅଛି କି? ମୋଦୀଙ୍କୁ ପ୍ରଶ୍ନ କ‌ଲେ ଖଡଗେ

ଅହମଦାବାଦ: ଗୁଜରାଟରେ ଡିସେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି-କଂଗ୍ରେସ ନେତାଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦେଇଥିବା ଏକ ବିବାଦୀୟ ବିବୃତିକୁ ନେଇ ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି। ଗୁଜରାଟରେ ଏକ ରାଲିକୁ ସମ୍ବୋଧିତ କରୁଥିବାବେଳେ ବିଜେପି ଭୋଟ୍ ପାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ନିର୍ଭର କରୁଥିବା କହିଥିଲେ ଖଡଗେ । ସେ କହିଥିଲେ ଯେ ‘ମୋଦୀ ପ୍ରତ୍ୟେକ ନିର୍ବାଚନରେ ପ୍ରଚାର କରୁଥିବାର ​​ନଜର ଆସୁଛନ୍ତି, ତାଙ୍କ ପାଖରେ ରାବଣ ଭଳି ୧୦୦ମୁଣ୍ଡ ଅଛି କି?’ ବୋଲି ବିଜେପିକୁ ପଚାରିଥିଲେ ଖଡଗେ। ତାଙ୍କର ଏଭଳି ବିବୃତିକୁ ନିନ୍ଦା କରିିଛି ବିଜେପି।

ଜନସଭାରେ ଖଡଗେ କହିଥିଲେ, ‘ମୋଦୀ ଆସି ପୌରସଂସ୍ଥାର କାମ କରିବେ କି? ଅସୁବିଧାରେ ସାହାଯ୍ୟ କରିବେ କି? ଆପଣ ଜଣେ ପ୍ରଧାନମନ୍ତ୍ରୀ। ତେଣୁ ଆପଣଙ୍କୁ ଦିଆଯାଇଥିବା କାମ କରନ୍ତୁ। ନିଜ କାମ କରିବା ଛାଡ଼ି ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ, ବିଧାନସଭା ନିର୍ବାଚନରେ, ସବୁଥର ଆପଣ ପ୍ରଚାର କରିବାକୁ ଚାଲିଆସୁଛନ୍ତି। ଆପଣଙ୍କ ମୁହଁ କେତେ ଥର ଦେଖିବୁ। ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ ଆପଣଙ୍କ ମୁହଁ, ବିଧାନସଭା ନିର୍ବାଚନରେ ଆପଣଙ୍କ ମୁହଁ, ଲୋକସଭା ନିର୍ବାଚନରେ ଆପଣଙ୍କ ମୁହଁ ଦେଖିବାକୁ ମିଳୁଛି। କେତେଟା ମୁହଁ ଅଛି ଆପଣଙ୍କର। ରାବଣ ପରି ଆପଣଙ୍କର ୧୦୦ମୁଣ୍ଡ ଅଛି କି?

ଅନ୍ୟପକ୍ଷରେ ଖଡଗେଙ୍କ ବିବୃତିକୁ ନେଇ ଜବାବ ରଖିଛି ବିଜେପି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାବଣ କହିବା ଅତ୍ୟନ୍ତ ନିନ୍ଦନୀୟ। ମଲ୍ଲିକାର୍ଜୁନ ଖଡଗେ ପୁରା ଗୁଜରାଟକୁ ଅପମାନିତ କରିଛନ୍ତି। ଏହି ବିବୃତି କେବଳ ଖଡଗେଙ୍କର ନୁହେଁ, ଏହା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ମନର କଥା। ସୋନିଆଙ୍କ ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ଅପମାନିତ ହୋଇଛନ୍ତି। ସୋନିଆ, ମୋଦୀଙ୍କୁ ମୃତ୍ୟୁର ସୌଦାଗର ବୋଲି କହିଥିଲେ। ଆଉ ଏବେ ଖଡ଼ଗେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର