ରାହୁଲ ଗାନ୍ଧୀ ‘ଗରିବର ପୁଅ’ ବୋଲି କହିଥିବା ଚରଣଜିତ ସିଂ ଚନ୍ନି କେତେ ଗରିବ?

ଚଣ୍ଡିଗଡ଼: କେତେ ଗରିବ ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ଚରଣଜିତ୍ ସିଂହ ଚନ୍ନି। ଗତକାଲି ଚନ୍ନି ଗରିବ ଘରର ପୁଅ ବୋଲି କହି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ, ସେ ଗରିବଙ୍କ କଷ୍ଟ ଭଲ ଭାବରେ ବୁଝି ପାରିବେ କାରଣ ସେ ନିଜେ ଏକ ଗରିବ ପରିବାରରୁ ଆସିଛନ୍ତି। ତେବେ ରାହୁଲ ଗାନ୍ଧୀଙ୍କ ଏଭଳି ବୟାନ ପରେ ଆଜି ଚନ୍ନିଙ୍କ ସମ୍ପତ୍ତି ତାଲିକା ସାମ୍ନାକୁ ଆସିଛି। ବିଧାନସଭା ନିର୍ବାଚନ ପାଇଁ ଦାଖଲ ହୋଇଥିବା ଆଫିଡେଭିଟ୍‌ରେ ଚନ୍ନି ତାଙ୍କ ପାଖରେ ୯.୪୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଥିବା ଘୋଷଣା କରିଛନ୍ତି। ତେବେ, ୨୦୧୭ ତୁଳନାରେ ଚନ୍ନିଙ୍କ ସମ୍ପତ୍ତି ୨୦୨୨ରେ ହ୍ରାସ ପାଇଛି। ୨୦୧୭ ରେ ଚନ୍ନିଙ୍କ ପାଖରେ ୧୪.୫୧ କୋଟି ଟଙ୍କାର ସମ୍ପତ୍ତି ଥିଲା।

ଚରଣଜିତ୍ ସିଂ ଚନ୍ନିଙ୍କ ଆଫିଡେଭିଟ୍ ଅନୁଯାୟୀ ତାଙ୍କର ୯.୪୪ କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି ରହିଛି। ଏଥି ସହିତ ଚନ୍ନିଙ୍କ ପାଖରେ ୧.୫୦ ଲକ୍ଷ ଟଙ୍କା ଏବଂ ତାଙ୍କ ପତ୍ନୀ ଡା. କମଲଜିତ ‌କୌରଙ୍କ ପାଖରେ ୫୦,୦୦୦ ଟଙ୍କା ରହିଛି। ସେହିଭଳି ଚନ୍ନିଙ୍କ ବ୍ୟାଙ୍କ ଆକାଣ୍ଟରେ ୭୮.୪୯ ଲକ୍ଷ ଟଙ୍କା ଥିବା ବେଳେ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟ‌ରେ ୧୨.୭୬ ଲକ୍ଷ ଟଙ୍କା ରହିଛି। ଏହା ସହ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ପାଖରେ ୩୨.୫୭ ଲକ୍ଷ ଟଙ୍କାର ଏକ ଫର୍ଚୁନର ଟୟ‌ୋଟା ରହିଥିବା ସହ ତାଙ୍କ ପତ୍ନୀଙ୍କ ପାଖରେ ୧୫.୭୮ ଲକ୍ଷ ଓ ୩୦.୨୧ ଲକ୍ଷ ଟଙ୍କାର ଦୁଇଟି କାର ରହିଛି।

ଏହାକୁ ଛାଡ଼ି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ପାଖରେ ୧୦ଲକ୍ଷ ଓ ପତ୍ନୀଙ୍କ ପାଖରେ ୫୪ ଲକ୍ଷ ଟଙ୍କାର ସୁନାଗହଣା ରହିଛି। ଏହା ସହ ଚନ୍ନିଙ୍କ ଉପରେ ୬୩.୨୯ ଲକ୍ଷ ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ଉପରେ ୨୫.୦୬ ଲକ୍ଷ ଟଙ୍କାର ଋଣ ମଧ୍ୟ ଅଛି।

ସମ୍ବନ୍ଧିତ ଖବର