କଂଗ୍ରେସରେ ଇସ୍ତଫାର ସୁଅ, ଉତ୍ତରପ୍ରଦେଶ କଂଗ୍ରେସ କମିଟିର ୩୫ କର୍ମକର୍ତ୍ତାଙ୍କ ଇସ୍ତଫା

ଲକ୍ଷ୍ନୌ: ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାପାଇଁ ଅଡ଼ି ବସିବା ପରେ ଏବେ କଂଗ୍ରେସରେ ଇସ୍ତଫାର ସୁଅ ଛୁଟିଛି। ରାହୁଲଙ୍କୁ ସମର୍ଥନ କରି ଗତ ଦୁଇଦିନ ମଧ୍ୟରେ କଂଗ୍ରେସର ବହୁ ପୁରୁଖା ନେତାମାନେ ନିଜ ନିଜ ପଦରୁ ଇସ୍ତଫା ‌ଦେଇଛନ୍ତି। ଗତକାଲି ଅପରାହ୍ନରେ ରାଜେଶ ଲିଲୋଥିଆ ଦିଲ୍ଲୀ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପଦରୁ ଏବଂ ତେଲେଙ୍ଗାନା କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ପୁନମ ପ୍ରଭାକର ଇସ୍ତଫା ଦେଇଥି‌ଲେ। ସେହିପରି ହରିୟାଣା,ମେଘାଳୟ, ଛତିଶଗଡ଼, ମଧ୍ୟପ୍ରଦେଶ, ହରିୟାଣାରୁ ବହୁ ନେତା ସେମାନଙ୍କ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ଅଧିକାଂଶ ନେତା କହିଛନ୍ତି ରାହୁଲ କଂଗ୍ରେସ ମୁଖ୍ୟ ରହିବାପାଇଁ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ସେମାନେ ସେମାନଙ୍କ ଇସ୍ତଫା ପତ୍ର ପ୍ରତ୍ୟାହାର କରିବେନି। କେତେକ ଏଆଇସିସି ଅଧିକାରୀ କହିଛନ୍ତି ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ କେବଳ ରାହୁଲ କାହିଁକି ଦାୟୀ ରହିବେ , ଅନ୍ୟ ସମସ୍ତ ଅଧିକାରୀ ଏଥିପାଇଁ ଦାୟୀ ରହିବେ। ଆଜି ଉତ୍ତରପ୍ରଦେଶ କଂଗ୍ରେସ କମିଟିର ୩୫ ଜଣ କାର୍ଯ୍ୟକର୍ତ୍ତା ସେମାନଙ୍କ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗତ ଲୋକସଭା ନିର୍ବାଚନ‌ରେ କଂଗ୍ରେସ ପରାଜୟ ପାଇଁ ନିଜକୁ ଦାୟୀ କରି ଉତ୍ତରପ୍ରଦେଶ କଂଗ୍ରେସର ବରି‌ଷ୍ଠ ଉପାଧ୍ୟକ୍ଷ ରଂଜିତ ସିଂହ ଜୁଦେବ, ସାଧାରଣ ସଚିବ ଆରାଧନା ମିଶ୍ର ମୋନା, ଉପାଧ୍ୟକ୍ଷ ଆର ପି ତ୍ରିପାଠୀ ଏବଂ ଆହୁରି ଅନେକ ବରିଷ୍ଠ ନେତାମାନେ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେହିପରି ଉତ୍ତରପ୍ରଦେଶରେ ଗଣମାଧ୍ୟମ ସଂଯୋଜକ ରାଜୀବ ବକ୍ସି, ଯୁଗ୍ମ ଗଣମାଧ୍ୟମ ସଂଯୋଜକ ପୀୟୂଷ ମିଶ୍ର, ଓଂକାର ନାଥ ସିଂହ, ଅମରନାଥ ଅଗ୍ରୱାଲ୍‌, ମୁକେଶ ସିଂହ ଚୌହାନ, ପ୍ରିୟଙ୍କା ଗୁପ୍ତା ଏବଂ ଅଶୋକ ସିଂହ ସେମାନଙ୍କ ପଦରୁ ଇସ୍ତଫା ‌ଦେଇଛନ୍ତି। ପୂର୍ବରୁ ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ରାଜ ବବ୍ବର ଇସ୍ତଫା ଦେଇ ସାରିଛନ୍ତି। ମଧ୍ୟପ୍ରଦେଶରେ କଂଗ୍ରେସର ସାଧାରଣ ସଚିବ ଦୀପକ ବବରିଆ, ଗୋଆ ବିଭାଗ ମୁଖ୍ୟ ଗିରିଶ ଚୋଡ଼ାଙ୍କର ମଧ୍ୟ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର