ଖଡ଼ଗେଙ୍କ ହେଲିକପ୍ଟର ଯାଞ୍ଚ ନେଇ ଅଭିଯୋଗ କଲା କଂଗ୍ରେସ

ନୂଆଦିଲ୍ଲୀ: ବିହାରର ସମସ୍ତିପୁରରେ ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଥିବାରୁ ଏହାକୁ ନେଇ କଂଗ୍ରେସ କଡ଼ା ପ୍ରତିକ୍ରିୟା ରଖିଛି। ନିର୍ବାଚନ ପ୍ରଚାରରେ ଯାଉଥିବା ବିରୋଧୀ ଦଳର ଷ୍ଟାର୍‌ କ୍ୟାମ୍ପେନର୍‌ମାନଙ୍କୁ ନିର୍ବାଚନ ଅଧିକାରୀମାନେ ଜାଣିଶୁଣି ଟାର୍ଗେଟ୍‌ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ନେତାମାନଙ୍କୁ ମୁକ୍ତ ଭାବରେ ଯିବା ଆସିବା କରିବାକୁ ଅନୁମତି ଦିଆଯାଉଥିବା ବେଳେ ବିରୋଧୀ ଦଳ ନେତାମାନେ ହିଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଆଜି କଂଗ୍ରେସ ଦାବି କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ ଶନିବାର ଖଡ଼ଗେ ରାଜ୍ୟର ସମସ୍ତିପୁର ଏବଂ ମୁଜାଫରପୁରରେ ଲୋକସଭା ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଥିଲେ। ସମସ୍ତିପୁରରେ ଅଚାନକ ଖଡ଼ଗେଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଥିଲା।

କଂଗ୍ରେସର ବିହାର ୟୁନିଟ୍‌ ପକ୍ଷରୁ ଏକ ଭିଡିଓ ସେୟାର କରି ଦାବି କରାଯାଇଛି ଯେ ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ନିଜେ ସମସ୍ତିପୁରରେ ଖଡ଼ଗେଙ୍କ ହେଲିକପ୍ଟର ଯାଞ୍ଚ ଉପରେ ନଜର ରଖିଥିଲେ ଏବଂ ଅଧିକାରୀମାନେ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଯାଞ୍ଚ କରାଇଥିଲେ। କଂଗ୍ରେସ ନେତାଙ୍କ ଏଭଳି ହେଲିକପ୍ଟର ଯାଞ୍ଚ ନିୟମିତ କି ନାହିଁ ଏବଂ ଏନ୍‌ଡିଏର ଶୀର୍ଷ ନେତାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଯାଞ୍ଚ କରାଯାଇଛି କି ନାହିଁ ତାହା ନିର୍ବାଚନ ଆୟୋଗ ସ୍ପଷ୍ଟ କରିବା ଦରକାର ବୋଲି ବିହାର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ନିର୍ବାଚନ ଆୟୋଗ ଏଭଳି ସମସ୍ତ ରେକର୍ଡ ସାର୍ବଜନୀନ କରିବା ଆବଶ୍ୟକ ବୋଲି କଂଗ୍ରେସ ଦାବି କରିଥିବା ବେଳେ ନିର୍ବାଚନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି।

ସମ୍ବନ୍ଧିତ ଖବର