ଦିଲ୍ଲୀ ପୁଲିସ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସର ନିନ୍ଦା

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଦିଲ୍ଲୀ ପୁଲିସ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ କଡ଼ା ନିନ୍ଦା କରିଛି। କଂଗ୍ରେସ କହିଛି ଏହା ଏକ ରାଜନୈତିକ ପ୍ରତିଶୋଧ ଏବଂ ନିର୍ଯାତନା। ରାଜନୈତିକ ବିରୋଧୀଙ୍କ ନାମରେ ଏଭଳି ସବୁ ମାମଲା ଆଣି କେନ୍ଦ୍ର ସରକାର ଅତି ଖରାପ ଉଦାହରଣ ସୃଷ୍ଟି କରୁଛନ୍ତି। ଏଆଇସିସି ମୁଖ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଦଳର ନେତା ଅଶୋକ ଗେହଲଟ, ଜୟରାମ ରମେଶ ଏବଂ ଅଭିଷେକ ମନୁ ସିଂଘଭି ଆଜି ପୁଲିସ କାର୍ଯ୍ୟାନୁଷ୍ଠାନକୁ କଡ଼ା ନିନ୍ଦା କରିଥିଲେ। ଜୟରାମ ରମେଶ ଆଜି ଦିଲ୍ଲୀ ପୁଲିସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରାକୁ ୪୫ ଦିନ ହୋଇଗଲାଣି। ସେମାନେ ୪୫ ଦିନ ପରେ ଜେରା ପାଇଁ ଯାଉଛନ୍ତି।

ତେବେ ଯଦି ସେମାନେ ଏତେ ଚିନ୍ତିତ ଫେବ୍ରୁଆରିରେ କାହିଁକି ରାହୁଲଙ୍କ ପାଖକୁ ଯାଇନଥିଲେ। ରାହୁଲଙ୍କ ଲିଗାଲ ଟିମ୍‌ ଏଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଜୟରାମ କହିଛନ୍ତି। ସେହିଭଳି ଗେହଲଟ କହିଛନ୍ତି, ରାଜନୈତିକ ପ୍ରଚାର ସମୟରେ ବିରୋଧୀ ଦଳ ନେତାଙ୍କ ଟିପ୍ପଣୀକୁ ବିରୋଧ କରି କେନ୍ଦ୍ର ସରକାର ମାମଲା ରୁଜୁ କରି ଏକ ଖରାପ ଉଦାହରଣ ସୃଷ୍ଟି କରିଛନ୍ତି। ଯଦି କେନ୍ଦ୍ର ମନ୍ତ୍ରୀମାନେ ବିରୋଧୀ ଶାସିତ ରାଜ୍ୟରେ ଏଭଳି ଟିପ୍ପଣୀ ଦିଅନ୍ତି ତେବେ ସେମାନଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଭଳି ସମାନ କାର୍ଯ୍ୟାନୁଷ୍ଠାନ ହେବ କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ରାହୁଲଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା‌ ପ୍ରକାଶ କରି ସିଂଘଭି କହିଛନ୍ତି, ରାହୁଲ ଶ୍ରୀନଗରରେ ଟିପ୍ପଣୀ ଦେଇଥିଲେ। ଦିଲ୍ଲୀ ପୁଲିସ ଅଧୀନ‌ରେ ଏହା ଆସୁନାହିଁ।

ସମ୍ବନ୍ଧିତ ଖବର